ଦୁଇଟି କାର୍‌ରେ ନେଉଥିଲେ, ବାଟରେ ଧରିଲା ପୁଲିସ

ଲମତାପୁଟ (ଓଡ଼ିଶା ରିପୋର୍ଟର):  ଦୁଇଟି କାର୍‌ରେ ଭର୍ତ୍ତି କରି ଗଞ୍ଜେଇ ନେଉଥିଲେ। ଭାବିଥିଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ଲମତାପୁଟରେ ଏପରି ଘଟଣା ଘଟିଛି। ପୁଲିସ ଗଞ୍ଜେଇ ଭର୍ତ୍ତି ଦୁଇଟି କାର ଜବତ କରିବା ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ।  ଏହା ସହ ପୁଲିସ ୨ଟି କାର,୭ଟି ମୋବାଇଲ ଓ ୪ହଜାର ୧୩୦ ଟଙ୍କା  ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶର ନର୍ସିପାଟଣା ପାଡେର ଅଞ୍ଚଳରୁ ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ,ଲମତାପୁଟ ଓ ଜଲାପୁଟ ପୁଲିସ ମିଳିତ ଭାବେ ସଗର ଗାଁ ନିକଟ ଛକରେ ନାକାବନ୍ଦୀ କରି ଗାଡି ମୋଟର ଯାଞ୍ଚ କରିଥିଲେ। ଆଜି ଭୋରରୁ ଆନ୍ଧ୍ରପ୍ରଦେଶରୁ ୨ଟି କାର ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ସଗର ଗାଁ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ପରେ ଗାଡ଼ିଟିକୁ ଯାଞ୍ଚ କଲା ବେଳେ ୨୦୦କେଜି ଗଞ୍ଜେଇ ମିଳିଥିଲା।ପୁଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।