୨୧ରେ ବରଗଡ଼ରେ ବିଜେପିର କୃଷକ ସମାବେଶ, ଯୋଗଦେବେ ମୋଦି

ଭୁବନେଶ୍ୱର: ଫେବୃୟାରୀ ମାସରେ ମୋଦି ଦୁଇ ଥର ଓଡ଼ିଶା ଆସୁଛନ୍ତି। ୭ ତାରିଖରେ ମୋଦି ଆଇଓସିଏଲର ତୈଳ ବିଶୋଧନାଗାର ଉଦଘାଟନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ସେହିପରି ୨୧ ତାରିଖରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ବିଶାଳ କୃଷକ ସମାବେଶରେ ଯୋଗଦେଇ ଚାଷୀଙ୍କୁ ଉଦବୋଧନ ଦେବେ। ଏହାସହ ମୋଦି କୃଷକମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି। ତେବେ ବିପଦ ବେଳେ ଦରଦ ଦେଖାଇଥିଲେ ଭଲ ହୋଇଥାନ୍ତା ବୋଲି ବିଜେଡି କହିଛି।

ଆରୁଣ ଆହୁରି କହିଛନ୍ତି, ବିଜେପି ଓଡ଼ିଶା ସମେତ ୪ଟି ରାଜ୍ୟରେ କୃଷକ ସମାବେଶ କରିବାକୁ ଯାଉଛି। ୨୧ ତାରିଖରେ ଅନୁଷ୍ଠିତ ବରଗଡ଼ ସମେବେଶରେ ରାଜ୍ୟରୁ ଲକ୍ଷାଧିକ କୃଷକ ଯୋଗଦେବେ। ୨୭ ତାରିଖରେ କର୍ଣ୍ଣାଟକ ଓ ୨୮ ତାରିଖ ୟୁପିରେ ହେବାକୁ ଥିବା କୃଷକ ସମାବେଶାରେ ମୋଦି ଯୋଗଦେବେ। ଓଡ଼ିଶାରୁ ମୋଦି ତାଙ୍କର ଏହି କାମ ସମାବେଶ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଚୟନ କରିଛନ୍ତି।

ସମାବେଶାରେ କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ପାଇଁ କରିଥିବା ଯୋଜନା ସମ୍ପର୍କରେ ସମ୍ପର୍କରେ ବାର୍ତ୍ତା ଦିଆଯିବ। ନୂଆ କୃଷକ ବୀମା ଯୋଜନାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା ଉପରେ ମୋଦି ନିଜେ ଅବଗତ କରାଇବେ।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆସୁଥିବାରୁ ସ୍ୱାଗତ କରୁଛି। ହେଲେ କୃଷକମାନେ ଯେଉଁ ସମୟରେ ଅତ୍ୟଧିକ ବିପଦରେ ଥିଲେ  ସମୟରେ ପ୍ରଧାନମନ୍ତ୍ରୀ ଆସିଥିଲେ ଭଲ ହୋଇଥାନ୍ତା। ଓଡ଼ିଶାର ମରୁଡି ପ୍ରବଣ ଅଞ୍ଚଳ ପାଇଁ ବିଶେଷ ଯୋଜନା କ’ଣ କରୁଛନ୍ତି ତାହା ହିଁ ମୁଖ୍ୟ କଥା ହେବ।

ଚଳିତବର୍ଷ ଫସଲହାନୀ ଓ ଋଣଭାର ଯୋଗୁଁ ରାଜ୍ୟରେ ୧୫୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ବିଜେପି ଟାର୍ଗେଟ କରିଥିଲେ। ଗତ ସେପ୍ଟେମ୍ବରରେ ବରଗଡ଼ରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ବଞ୍ଚାଓ ପଦଯାତ୍ରା କରିଥିଲେ। ନଭେମ୍ବର ୧୯ରେ ବିଜେଡି ସେହି ବରଗଡ଼ର ସୋହେଲାରେ ଆୟୋଜନ କରିଥିଲା ଚାଷୀ ସମାବେଶ। ଯେଉଁଠି କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ବି ଘୋଷଣା କରିଥିଲେ।