୬ ମାସରେ ଏଟିଏମ୍‌ରୁ ଲୁଟିଥିଲେ ୮ କୋଟି, ଆଜି ଦେଖାଇଲେ ଡେମୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଟିଏମ୍‌ରୁ ଟଙ୍କା ଲୁଟ୍‌ର ନୂଆ ତରିକା ଆପଣାଇଲେଣି ଲୁଟେରା। ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଲୁଟି ନେଉଛନ୍ତି  ଟଙ୍କା । ଡିଭାଇସ ଲଗାଇବାକୁ  ଲାଗୁଛି ମାତ୍ର ୨ରୁ ୩ ମିନିଟ୍‌ । ଲୁଟ୍‌ର ଏପରି ତରିକା ଆଗରୁ କେବେ କେହି ଶୁଣି  ନ ଥିବା ବେଳେ ଏହା ଏବେ କମିଶନରେଟ ପୁଲିସ୍‌ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ୩ ଅଭିଯୁକ୍ତ ଏପରି ଲୁଟ୍‌ର ପର୍ଦ୍ଦାଫାସ କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଏପରି କରି ଗତ ୬ ମାସ ଭିତରେ ଏମାନେ ପ୍ରାୟ ୮ କୋଟି ଟଙ୍କା ଏଟିଏମ୍‌ରୁ ଲୁଟି ନେଇ ସାରିଲେଣି । ଏମାନଙ୍କ ନିକଟରୁ ପ୍ରାୟ ଲକ୍ଷେ ଟଙ୍କା ଓ ଗୋଟିଏ ଦାମୀ କାର ଜବତ ହୋଇଛି ।

ଏହି ୩ ଅଭିଯୁକ୍ତ ଆଜି ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍‌ର ଡେମୋ ଦେଖାଇଛନ୍ତି ।  ଖୁବ୍‌ କମ୍‌ ସମୟରେ ଏହି ଡିଭାଇସ ଲଗାଯାଉଥିଲା।  ଏହି ଡିଭାଇସ ଲଗାଇବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରେ ନାହିଁ  । ଗ୍ରାହକ ଜଣକ ପଳାଇବା ପରେ ସେହି ଟଙ୍କା ଏମାନେ ଡିଭାଇସ ଜରିଆରେ ବାହାର କରି ନେଇଯାଆନ୍ତି ।   କଟକ, ପୁରୀ ଓ ଭୁବନେଶ୍ୱର ଏଟିଏମ୍‌ଗୁଡ଼ିକୁ ଏମାନେ ଟାର୍ଗେଟ କରୁଥିଲେ  ।

ଗିରଫ ୩ ଅଭିଯୁକ୍ତଙ୍କ ଘର ଫରିଦାବାଦରେ । ଏମାନେ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟରେ ଏଭଳି ଏଟିଏମ୍ ଲୁଟ କରୁଥିବା ଜଣାପଡ଼ିଛି ।  ପୁଲିସ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ।  ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ଥିବା ଏକ ATMରେ ଡିଭାଇସ ଲଗାଇ ଲୁଟିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ଏହାପରେ ଆଳୁ ଖୋଳୁ ଖୋଳୁ ଏପରି ଘଟଣାର ପର୍ଦ୍ଦାଫାସ ହୋଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।