ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ: ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ

ଯାଜପୁର (ଗୁଲାମ ଗସ): ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଟ୍ରକ୍ ପଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ବଡ଼ଚଣା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା ନିକଟରେ ଏହା ଆଗରେ ଯାଉଥିବା ଏକ ଟ୍ରକ୍‌ର ଟାୟାର ଫାଟି ଯାଇଥିଲା। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇଥିବା ବେଳେ ପଛରେ ଥିବା ଏହି ଆମ୍ବୁଲାନ୍ସଟି ଯାଇ ତା’ ପଛରେ ପିଟି ହୋଇଥିଲା। ଆମ୍ବୁଲାନ୍ସଟି ଏତେ ଜୋରରେ ପିଟି ହୋଇଥିଲା ଯେ ତାହା ଟ୍ରକ୍ ପଛରେ ଚାପି ହୋଇ ରହିଯାଇଥିଲା। ଚଣ୍ଡିଖୋଲରୁ ଅଗ୍ନିଶମ ବାହିନୀ ଆସି ଆମ୍ବୁଲାନ୍ସଟିକୁ ଟ୍ରକ୍‌ ପଛରୁ ବାହାର କରିଥିଲା।

ଆମ୍ବୁଲାନ୍ସରେ ମୋଟ୍ ୫ ଜଣ ଥିବା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସମେତ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ରୋଗୀଙ୍କ ଦୁଇ ଜଣ ସଂପର୍କୀୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳିପାରନି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।