ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ, ୩ ମୃତ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ଚଢ଼ି ଯାଇଥିଲ। ଏହାପରେ ତାହା ଯାତ୍ରୀ ବିଶ୍ରାମାଗାର ଭିତରେ ପଶି ଯାଇଥିଲା।  ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ୫୬ ବଗି ବିଶିଷ୍ଟ ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ଟା ୪୪ ମିନିଟ୍‌ରେ କୋରେଇ ଷ୍ଟେସନରେ ପଶିଥିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ କିଛି ବଗି ଚାଲି ଯାଇଥିଲା। ଏହାପରେ ପ୍ରାୟ ୮ଟି ବଗି ଲାଇନ୍‌ଚ୍ୟୁତ ହୋଇ ଟ୍ରେନ୍‌ ପ୍ଲାଟଫର୍ମ ଉପରକୁ ମାଡ଼ି ଯାଇଥିଲା। ଏହାପରେ ତାହା  ଯାତ୍ରୀ ବିଶ୍ରାମାଗାରକୁ ମାଡ଼ି ଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ଉକ୍ତ ସମୟରେ ସେଠାରେ କେତେକ ଲୋକ ଶୋଇଥିବା ବେଳେ କେତେକ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍‌ଟି ମାଡ଼ି ଆସିବା ଦେଖି କିଛି ଲୋକ ଛତ୍ରଭଙ୍ଗ ଦେଇ ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ସେମାନେ ହେଲେ ପାର୍ବତୀ ବିନ୍ଧାଣି, ତାଙ୍କ ଝିଅ କଣ୍ଡେଇ ବିନ୍ଧାଣି ଓ ଅବଜୁଲ ବିବି ।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଟ୍ରେନ୍‌ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଜଣାଯାଇଛି।

ଅଗ୍ନିଶମ ଡିଜିଙ୍କ ସୂଚନା ଅନୁସାରେ ଦୁର୍ଘଟଣା ପରେ ଟ୍ରେନ୍ ବଗି ତଳେ ୫ ଜଣ ଲୋକ ଚାପି ହୋଇ ରହିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ଯାଜପୁର ଫାୟାର ସର୍ଭିସ ପକ୍ଷରୁ ହସ୍ପିଟାଲକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ଯାଜପୁର ରୋଡ୍, ବୈତରଣୀ ରୋଡ୍, କୋରେଇଠାରେ ଥିବା ଅଗ୍ନିଶମ ବାହିନୀର ଯବାନମାନେ ଲାଗିଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଯେ, ବଗିଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେ ତେଣେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ସକାଳ ୬ଟା ୪୪ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ଦାବି କରାଯାଇଛି। ବିଳମ୍ବ ହେଲେ ଅଧିକ ଜୀବନହାନି ଆଶଙ୍କା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଟ୍ରେନ୍‌ଟି ଲାଇନଚ୍ୟୁତ୍‌ ହେବାରୁ ଷ୍ଟେସନ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି। ରିଲିଫ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ରୋଡ୍ DRM ମଧ୍ୟ ଦୁର୍ଘଟଣାସ୍ଥଳ ଗସ୍ତ କରିଥିବା ଜଣାଯାଇଛି।

ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ସେ ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହି ଦୁର୍ଘଟଣା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଖବର ଶୁଣି ସେ ଦୁଃଖିତ ଏବଂ ମର୍ମାହତ ବୋଲି ଟ୍ୱିଟ କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।