ଗୁଣିଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ, ବାପ,ପୁଅ ଓ ଝିଅଙ୍କୁ ନିର୍ଧୂମ ମାଡ଼

ମାଲକାନାଗିରି(ଜିତେନ୍ଦ୍ର ବେଉରା): ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଟଣା ଘଟିଛି  ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗାଁରେ। ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକେ।

ଅଭିଯୋଗ ଅନୁସାରେ, ତେନ୍ତୁଳିଗୁଡ଼ା ଗାଁରେ ବସବାସ କରୁଥିବା କାବାସି ପରିବାରର ତିନି ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା। କେହି ଗୁଣିଗାରେଡି କରିବା ଯୋଗୁ ଏପରି ହେଉଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଏନେଇ ପାଖ ଗାଁରେ ରହୁଥିବା ଜଣେ ଗୁଣିଆ ପାଖକୁ ଯାଇଥିଲେ। ଗୁଣିଆ ତେନ୍ତୁଳିଗୁଡା ଗାଁର ଦେବା ପଡିଆମି,କେଶା କାବାସି  ଓ ପ୍ରେମା ପଡିଆମି ଗୁଣିଗାରେଡି କରିଥିବା କାବାସି ପରିବାର ଲୋକଙ୍କୁ କହିଥିଲେ। ଏନେଇ ଗାଁରେ ଗତକାଲି ଦିନରେ ଏକ ସଭା ବସିଥିଲା। ସେହି ସଭାରେ ଦେବା ପଡିଆମି ଓ ପ୍ରେମା ପଡିଆମି ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ କାବାସି ପରିବାର ଲୋକେ ଉଭୟ ବାପା ଓ ପୁଅକୁ  ନିର୍ଧୂମ ପିଟିଥିଲେ। ବାପା ଭାଇକୁ ମାଡ଼ ଖାଉଥିବା ଦେଖି  ଝିଅ ମାଧୁରୀ ପଡିଆମି ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ମାଧୁରୀ ପଡିଆମି ଗତକାଲି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।