ସାମାନ୍ୟ ବଚସାରୁ ଛୁରାମାଡ଼, ତିନି ଆହତ

ବିନିକା (ଓଡ଼ିଶା ରିପୋର୍ଟର):  ମା’ପୁଅ ଓ ଖୁଡ଼ିକୁ ତିନି ଜଣ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପାତିକାର ପଡ଼ାରେ। ଆହତମାନେ ହେଲେ  ରାଇଫଲ ଗୁରୁ, ତାଙ୍କ ମା’ କୁମୋ ଗୁରୁ ଓ ଖୁଡ଼ି ହୀରା ଗୁରୁ। ସେମାନଙ୍କୁ  ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ତିନି ଜଣ ଯୁବକ ଶୁଦ୍ଧିକ୍ରିୟା ପାଇଁ ରାଇଫଲଙ୍କ ପଡ଼ୋଶୀ ଘରକୁ ଆସିଥିଲେ।  ଗତକାଲି କୌଣସି କଥାକୁ ନେଇ  ସେମାନଙ୍କର ରାଇଫଲ ଓ ତାଙ୍କ ମା’ଙ୍କ ସହ ବଚସା ହୋଇଥିଲା। ପରେ ଯୁବକମାନେ ମା’ପୁଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ରାଇଫଲଙ୍କ ଖୁଡ଼ି ଘଟଣାସ୍ଥଳକୁ ଆସିଥିଲେ। ସେ ଉଭୟ ମା’ପୁଅଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଉକ୍ତ ତିନି ଯୁବକ ତାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲେ।

ଏନେଇ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ଼ ହୋଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।