ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଲା ୩ ଓଡ଼ିଆ ଫିଲ୍ମ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଲା ୩ ଓଡ଼ିଆ ଫିଲ୍ମ।  ୨୦୧୯ ବର୍ଷ ପାଇଁ ଆଜି ଘୋଷଣା ହୋଇଥିବା ପୁରସ୍କାର ତାଲିକାରେ ଶଲା ବୁଢାର୍ ବଦ୍ଲା ଏବଂ କାଲିର ଅତୀତ ଯୁଗ୍ମ ଭାବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛନ୍ତି।  ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲା ବୁଢାର୍ ବଦ୍ଲା, ଶଲା ବୁଢା ସିରିଜ୍‌ର ତୃତୀୟ ଫିଲ୍ମ।

ସେହିପରି ଜଳବାୟୁ ପରିବର୍ତ୍ତନକୁ ନେଇ ନିର୍ମିତ ଫିଲ୍ମ ‘କାଲିର ଅତୀତ’କୁ ନିର୍ଦ୍ଦେଶନା ଦେଇଛନ୍ତି ନୀଳମାଧବ ପଣ୍ଡା।  ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଏହି ଦୁଇ ଫିଲ୍ମକୁ ରଜତ୍ କମଲ ସହ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସେହିପରି ନନ୍ ଫିଚର୍ ବର୍ଗରେ ପୁରୀ ସାହିଜାତ ପରମ୍ପରାକୁ ନେଇ ନିର୍ମିତ ‘ସାହିଜାତରୁ ଶ୍ରୀକ୍ଷେତ୍ର’ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଘୋଷିତ ହୋଇଛି।

ପୁରସ୍କାର ବାବଦକୁ ଫିଲ୍ମର ନିର୍ମାତା ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ରଜତ କମଲ୍ ଏବଂ ୫୦ ହଜାର ଟଙ୍କା ମିଳିବ।  ସେହିପରି  ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୀତ ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ  ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି । ସେହିପରି ହିନ୍ଦୀ ଫିଲ୍ମ ଭୋଁସ୍ଲେ ପାଇଁ ମନୋଜ ବାଜପେୟୀ ଓ ତାମିଲ୍ ଫିଲ୍ମ ଅସୁରନ୍ ପାଇଁ ଧନୁଷଙ୍କୁ ୨୦୧୯ ବର୍ଷର ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିବ। ଫିଲ୍ମ ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ଘୋଷିତ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।