ଢେଙ୍କାନାଳ (ଓଡ଼ିଶା ରିପୋର୍ଟର ): ଗତ ରାତିରେ ବ୍ରାହ୍ମଣୀ ନଦୀରେ ହୁଲି ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ହୋଇଯାଇଛନ୍ତି। ଢେଙ୍କାନାଳ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଏହି ଡଙ୍ଗାଟି ଯାଉଥିଲା। ମଝି ନଦୀରେ ଡଙ୍ଗାଟି ବୁଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା।
ଡଙ୍ଗାରେ ସମୁଦାୟ ୯ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଓ ୨ ନାଉରିଆ ଥିବା ଜଣାଯାଇଛି। ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ମଝି ନଦୀରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୨ ନାଉରିଆ ମଧ୍ୟ ଅଛନ୍ତି। ହେଲେ ଆଉ ୪ ଜଣଙ୍କ ପତ୍ତା ମିଳିପାରି ନାହିଁ ।
ଖବର ପାଇ ଗତ ରାତିରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାର ତଦାରଖ କରିବାକୁ ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷାନଗର ଉପଜିଲ୍ଲାପାଳ, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କିଛି ସନ୍ଧାନ ମିଳି ପାରି ନ ଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ନିଖୋଜଙ୍କ ପରିଚୟ ମିଳି ପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।