୪ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସବୁଜ ସଙ୍କେତ

କଟକ: ସମ୍ବଲପୁର ଜିଲ୍ଲାର ରେଙ୍ଗାଳି, ଝାରସୁଗୁଡ଼ାର କୋଲାବିରା, ଢେଙ୍କାନାଳର ପର୍ଜଙ୍ଗ ଓ କଳହାଣ୍ଡି ଜିଲ୍ଲାର ଭବାନୀପାଟଣା ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସବୁଜ ସଙ୍କେତ ମିଳିଛି। ଏହି ୪ଟି ପଞ୍ଚାୟତ ସମିତିରେ ନିର୍ବାଚନ ଉପରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି।

ଏହି ପଞ୍ଚାୟତ ସମିତି ଗୁଡ଼ିକରେ ସଂରକ୍ଷଣକୁ ନେଇ ହୋଇଥିବା ମାମଲାର ଶୁଣାଣି ମାର୍ଚ୍ଚ ୨୧ ତାରିଖରେ ହେବ। ଚଳିତ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିଥିବା ଦର୍ଶାଇ ୬ଟି ମାମଲା ଦାୟର ହୋଇଥିଲା। ସେଥିମଧ୍ୟରୁ ଯାଜପୁରର ଦଶରଥପୁର ବ୍ଲକକୁ ନେଇ ହୋଇଥିବା ମାମଲାକୁ ଆବେଦନକାରୀ ପ୍ରତ୍ୟାହାର କରି ନେଇଥିଲେ। ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍‌ ସଂପର୍କିତ ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରାଯାଇଛି।