ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା: ୪ ଜେଟିପିଙ୍କୁ ପଚରାଉଚରା
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ୪ ଜେଟିପି (ଜଗନ୍ନାଥ ଟେମ୍ପଲ ପୁଲିସ୍ )ଙ୍କୁ ସିଂହ ଦ୍ୱାରା ଥାନା ପୁଲିସ୍ ଡାକି ପଚରାଉଚରା କରିଛି। ଚୁଲି ଭଙ୍ଗା ଦିନ ୪ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ। ଅନ୍ୟ ୩ ଜଣ ଜେଟିପି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେଇ ବାହାରେ ଛାଡ଼ିଥିଲେ। ଗତ ୨ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା । ଉକ୍ତ ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ୪ ଜେଟିପି ଦାୟିତ୍ୱରେ ଥିଲେ।
ଦୁର୍ବୃତ୍ତମାନଙ୍କୁ ୩ଜଣ ଜେଟିପି କେଉଁ କାରଣରୁ ଛାଡ଼ିଦେଲେ, ଏହାର କାରଣ କ’ଣ ହୋଇଥାଇପାରେ ସେ’ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ପୂର୍ବରୁ ଏହି ଚାରି ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋକୁ ଧରି ଅନୁସନ୍ଧାନ ଚଳାଇଛି। ଘଟଣାଦିନ ଦାୟିତ୍ୱରେ ଥିବା ସେବାୟତଙ୍କୁ ଫଟୋ ଦେଖାଇ ପଚରାଉଚରା କରିଛି। ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ସେବାୟତଙ୍କୁ ମଧ୍ୟ ପଚରାଉଚରା କରିଛି
ପୁରୀ ଏସ୍ପି କନୱର ବିଶାଲ ସିଂ କହିଛନ୍ତି, ସିସିଟିଭିରୁ ମିଳିଥିବା ଫୁଟେଜ୍ ଆଧାରରେ ତଦନ୍ତ ଚାଲିଛି। ସିସିଟିଭିରୁ ଯେଉଁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ତାଙ୍କ ଉପରେ ଫୋକସ୍ କରାଯାଉଛି। ଯେଉଁ ୩ ଜେଟିପି ସନ୍ଦିଗ୍ଧଙ୍କୁ ନେଇ ବାହାର ଛାଡ଼ିଥିଲେ ସେମାନଙ୍କ ପଚରାଉଚରା ଚାଲିଛି। ୩ ଜେଟିପି ସେଦିନ ପ୍ରଥମେ ଦେଖିଲେ, ନା ପୂର୍ବରୁ ଦେଖିଥିଲେ ସେନେଇ ପଚରାଉଚରା କରାଯାଉଛି।
ମହାସୁଆର ନିଯୋଗ ସଭାପତି ବୈଦନାଥ ମହାସୁଆର ସିସିଟିଭର ଫୁଟେଜକୁ ଆଧାର କରି କହିଥିଲେ ଯେ, ସତ୍ୟନାରାୟଣ ମନ୍ଦିର ପାଖରୁ ରୋଷଶାଳାକୁ ରାସ୍ତା ରହିଛି। ସେହି ରାସ୍ତା ଦେଇ ଗତ ୨ ତାରିଖ ରାତିରେ ଦୁର୍ବୃତ୍ତମାନେ ଭୋଗମଣ୍ଡପ ପାଖକୁ ଆସିଥିଲେ । ଭୋଗମଣ୍ଡପରୁ ପ୍ରତିହାରୀ ନିଯୋଗ ଦେଇ ପାଟ ଅଗଣାକୁ ଓ ପରେ ସାତ ପାହାଚରୁ ନାଟ ମଣ୍ଡପକୁ ଯାଇଥିଲେ। ପରେ ନାଟ ମଣ୍ଡପରୁ ଗରୁଡ ସ୍ତମ୍ଭ ପାଖକୁ ଯାଇ ସେଠାରୁ କେଉଁଆଡ଼େ ଚାଲିଯାଇଥିଲେ। ତିନି ଜଣ ଜେଟିପି ସିଂହ ଦ୍ୱାର ଦେଇ ସେହି ଦୁର୍ବୃତ୍ତମାନଙ୍କୁ ବାହାରକୁ ଆଣି ଛାଡ଼ିଥିବା ସିସିଟିଭରେ କଏଦ ହୋଇଛି।
ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଉଭୟ ଘଟଣାର ଯାଞ୍ଚ କରୁଛନ୍ତି। ପାଞ୍ଚ ଜଣିଆ ଟିମ୍ ଦ୍ୱାରା ତଦନ୍ତ ହେଉଥିବା ଏସ୍ପି କହିଛନ୍ତି । ସିସିଟିଭିରୁ କିଛିଟା ସୁରାକ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।