ଶ୍ରୀରାମ ମନ୍ଦିର ପାଇଁ ଓଡ଼ିଶାରୁ ସଂଗ୍ରହ ହେଲା ୪୨ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ରାଜ୍ୟରୁ ସଂଗ୍ରହ ହୋଇଛି ୪୨ କୋଟିରୁ ଅଧିକ ଟଙ୍କା । ଏହି ଅର୍ଥକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବିକାଶ ପାଇଁ ପଠାଯାଇଛି । ଓଡ଼ିଶାରେ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ଯାଏ ଚାଲିଥିଲା ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନ ।

ଏଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୫୮ ହଜାର ୯୯୨ ସ୍ୱୟଂସେବକ ରାଜ୍ୟର ୪୩ହଜାର ଗାଁର ୭୫ ଲକ୍ଷ ପରିବାର ସହ ଯୋଡ଼ି ହୋଇଥିଲେ । ଭୁବନେଶ୍ୱରରେ ଆରଏସଏସ ଓଡ଼ିଶା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି  ।

ଏହାଛଡ଼ା ସଂଘ କହିଛି, କରୋନା ସମୟରେ ଆରଏସଏସ  ସ୍ୱୟଂସେବକମାନେ ରାଜ୍ୟର ୩ ହଜାର ୬୨ଟି ସ୍ଥାନରେ ବିପନ୍ନଙ୍କୁ ସେବା ଯୋଗାଇଥିଲେ । ସଂଘର କର୍ମକର୍ତ୍ତା, ବିପନ୍ନଙ୍କୁ ରାସନ କିଟ, ଖାଦ୍ୟ ପ୍ୟାକେଟ, ମାସ୍କ ବଣ୍ଟନ କରିବା ସହ ଘର ବାହୁଡାଙ୍କ ପାଇଁ ଷ୍ଟେ ହୋମ ବ୍ୟବସ୍ଥା କରିଥିଲେ । ଏପରିକି ସ୍ୱୟଂସେବକମାନେ ରାଜ୍ୟରେ ୬୦ ହଜାର ୟୁନିଟ ରକ୍ତଦାନ କରିଥିଲେ ।

ଏନେଇ ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି, ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ଭାରତରେ ୧୨କୋଟିରୁ ଊର୍ଦ୍ଧ୍ୱ ପରିବାରକୁ ଓ  ସାଢେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସ୍ଥାନକୁ  ସମ୍ପର୍କ କରାଯାଇଥିଲା। ସେହିପରି ଓଡ଼ିଶାରେ  ୭୫ ଲକ୍ଷ ପରିବାରକୁ ସମ୍ପର୍କ କରାଯାଇଥିଲା। ୪୩ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକର୍ତ୍ତା ପହଞ୍ଚିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।