ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଦାନ କେତେ?

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ପବିତ୍ର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶା ମାଧ୍ୟମରେ ସମ୍ପନ୍ନ ହୋଇଛି। ଏହି ଅଭିଯାନରେ ମୋଟ ୫୮,୯୯୨ ଜଣ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ୫୫୩ ଜଣ ପୂଜ୍ୟ ସାଧୁସନ୍ଥ ମଧ୍ୟ ଏହି ନିଧି ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ।

କାର୍ଯ୍ୟକର୍ତାମାନେ ମୋଟ ୪୩,୭୪୯ଟି ଗ୍ରାମର ୭୪,୯୫,୭୯୯ଟି ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ। ଓଡ଼ିଶାର ଜନସାଧାରଣ ମଧ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ୪୨,୦୩,୦୭,୦୬୬ଟଙ୍କା ପରିମାଣର ଅର୍ଥ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଜର ଭକ୍ତି ନୈବଦ୍ୟ ସମର୍ପଣ କରିଛନ୍ତି। ଓଡ଼ିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମଗ୍ର ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର। ଏହି ସାମ୍ୱାଦିକ ସମ୍ମିଳନୀରେ ସମିତିର ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀ, ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ପରିଡା ଓ ସହସଂପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ କ୍ରମେ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିସ୍କାର ହୋଇଥିଲା। ମନ୍ଦିରର ନିର୍ମାଣ ଓ ସୁପରିଚାଳନା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିଦ୍ଦେର୍ଶକ୍ରମେ ଭାରତ ସରକାରଙ୍କ ଦ୍ୱାରା ‘ରାମଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମକ ଏକ ନ୍ୟାସ (ଟ୍ରଷ୍ଟ) ମଧ୍ୟ ଗଠିତ ହେଲା।

ପୂଜ୍ୟ ସାଧୁସନ୍ଥମାନଙ୍କର ପରାମର୍ଶ କ୍ରମେ ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ଅର୍ଥ ସଂଗ୍ରହ କରି ସେହି ଅର୍ଥରେ ହିଁ ମନ୍ଦିର ନିର୍ମାଣ ପାଇଁ ଏକ ବ୍ୟାପକ ଯୋଜନା ନ୍ୟାସ(ଟ୍ରଷ୍ଟ) ଦ୍ୱାରା ପ୍ରସ୍ତୁତ କରାଗଲା। ଫଳତଃ ସମଗ୍ର ଭାରତ ବର୍ଷରେ ପବିତ୍ର ମକର ସଂକ୍ରାନ୍ତି (୧୪-୦୧-୨୦୨୧) ଠାରୁ ପବିତ୍ର ମାଘପୂର୍ଣ୍ଣିମା ପର୍ଯ୍ୟନ୍ତ (୨୭-୦୨-୨୦୨୧) ଏକ ବ୍ୟାପକ ଅର୍ଥ ସଂଗ୍ରହ ଅଭିଯାନର କାର୍ଯ୍ୟ ଚାଲିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।