ଭୁବନେଶ୍ୱର XIMBରେ ୪୫ ଜଣଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ମ୍ୟାନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ XIMBରେ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଶ୍ରୀ ଜେନା କହିଛନ୍ତି, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୪୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଟ୍ରାକ୍ କରାଯାଉଛି।

ସେ ଆହୁରି କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ। ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କ ସହ ସେ କରୋନା ସ୍ଥିତିର ସମୀକ୍ଷା କରିବେ। ପୁଣିଥରେ ସରପଞ୍ଚ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ।  ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ୍ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। ସ୍ଥିତି ଦେଖି ଲକ୍‌ଡାଉନ୍‌ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଓ ଶନିବାର ଆସିଥିବା ରିପୋର୍ଟରେ ଗୋଟିଏ ଦିନରେ ଯଥାକ୍ରମେ ୧୧୦ ଓ ୧୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରବିବାର ଆସିଥିବା ରିପୋର୍ଟରେ ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। କିନ୍ତୁ ଆଜି ପୁଣି ଏହି ସଂଖ୍ୟା ବଢ଼ିଛି।

ସିଲ୍ ହୋଇଛି XIMB

ଏହି ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏହାକୁ ସିଲ୍ କରି ଦେଇଛି।

ବିଏମ୍‌ସିର ନିର୍ଦ୍ଦେଶ ଅନୁଯାୟୀ, ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ସେହିପରି କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି। କେବଳ ବିଏମ୍‌ସି କର୍ମଚାରୀ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ବିଏମ୍‌ସି ଯୋଗାଇ ଦେବ।

ଏହା ସହିତ ଶିକ୍ଷାନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟେଷ୍ଟ ପରେ ଆଉ ଯେଉଁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିବ, ସେମାନଙ୍କୁ ମଧ୍ୟ ସେହି ସମାନ ହଷ୍ଟେଲରେ ଆଇସୋଲେସନ୍‌ରେ ରଖିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍ କଟକଣାକୁ ମାନି ସମସ୍ତ ଆକ୍ରାନ୍ତଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଠିକ୍ ସମୟରେ ଖାଦ୍ୟ ଯୋଗାଇ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ଗୋଟିଏ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଗୋଟିଏ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।