ଜଙ୍ଗଲ ବାବୁ ଦେଉନାହାନ୍ତି ସମ୍ପତ୍ତି ତାଲିକା!

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ସମ୍ପତ୍ତି ତାଲିକା ଦେଉନାହାନ୍ତି ରାଜ୍ୟର ୫ ଆଇଏଫ୍ଏସ୍। ୧୧୧ ଆଇଏଫ୍ଏସ୍‌ରୁ ୫ ଜଣ ଦେଇନାହାନ୍ତି ସମ୍ପତ୍ତି ତାଲିକା। ବର୍ଷ ଶେଷରେ ସମସ୍ତ ଆଇଏଫ୍ଏସ୍ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ହେଲେ କେବଳ ମିଳୁଛି ଆଇଏଫ୍ଏସଙ୍କ ଅଚଳ ସମ୍ପତ୍ତି ତାଲିକା। ରାଜ୍ୟ ଏଚଆରଏମ୍ଏସ୍ ପୋର୍ଟାଲରେ ବି ଦେଉନାହାନ୍ତି ଅଚଳ ଓ ସଚଳ ସମ୍ପତ୍ତିର ତାଲିକା।

ଆପଣ ଜାଣିଥିବେ ଦୁଇ ବର୍ଷ ତଳେ ଜଙ୍ଗଲ ବିଭାଗର ଆଇଏଫ୍ଏସ୍-ବାବୁ ଅଭୟ ପାଠକଙ୍କ ଘରେ ରେଡ୍ କଲା ପରେ ଭିଜିଲାନସ ପାଇଥିଲା ୯ କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି। ଜଙ୍ଗଲ ବିଭାଗର ଚାରା ରୋପଣ ଓ ବନୀକରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସେ। ଆଇଏଏସ୍ ଭଳି ଭାରତୀୟ ବନ ସେବାର ଏହି ଆଇଏଫ୍ଏସ୍ ଅଧିକାରୀମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫ ଜଣ ସେମାନଙ୍କ ସ୍ଥାବର ବା ଅଚଳ ସମ୍ପତ୍ତି ତାଲିକା ଦେଇନଥିବା ଆଇଏଫ୍ଏସ୍ ପୋର୍ଟାଲ ତଥା ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି। ରାଜ୍ୟ କ୍ୟାଡରରେ ଥିବା ୧୧୧ ଜଣ ଆଇଏଫ୍ଏସ୍ ଅଫିସରଙ୍କ ମଧ୍ୟରୁ କେତେକ ଅଫିସର ବି ରାଜ୍ୟ ସରକାରଙ୍କ କେତେକ ବିଭାଗର ସଚିବ ଦାୟିତ୍ୱ ତୁଲାଉଛନ୍ତି।
ସମ୍ପତ୍ତି ତାଲିକା ଦେନଇନଥିବା ଆଇଏଫ୍ଏସ୍ ଅଫିସର-
-ଡ. ସୁଦର୍ଶନ ପଣ୍ଡା, ୧୯୮୭-ବ୍ୟାଚ୍, ପ୍ରକଳ୍ପ ନିର୍ଦେଶକ, ବନ ସମିତି
-ବିକ୍ରମ ସିଂହ, ୧୯୮୮-ବ୍ୟାଚ୍, ପ୍ରୋକ୍ୟୁଅରମେଂଟ ଅଫିସର
-ଲିଙ୍ଗରାଜ ଓତା, ୧୯୯୧-ବ୍ୟାଚ୍, ସ୍ବତନ୍ତ୍ର ସଚିବ
-ପ୍ରଦୀପ ରାଜକରାଟ, ୧୯୯୨-ବ୍ୟାଚ, ସିଇଓ, କାମ୍ପା
-ରୋହିତ କୁମାର ଲେଙ୍କା, ୨୦୦୭-ବ୍ୟାଚ, ନିର୍ଦ୍ଦେଶକ, ଉଦ୍ୟାନକୃଷି

ସର୍ବ ଭାରତୀୟ ସେବା ନିୟମାବଳୀ ଅନୁସାରେ ଆଇଏଫ୍ଏସ୍ ଅଫିସରମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ପଦୋନ୍ନତି ବେଳେ ସେମାନଙ୍କୁ ଭିଜିଲାନସ କ୍ଲିଅରାନ୍ସ ମିଳିବ ନାହିଁ। ଲୋକାୟୁକ୍ତ ଆଇନ ଆଧାରରେ ରାଜ୍ୟର ତଳ ପାହ୍ୟାରେ ଥିବା ଅନ୍ୟ କର୍ମଚାରୀମାନେ ଏବେ ଏଚଆରଏମଏସ ପୋର୍ଟାଲ ଜରିଆରେ ପବ୍ଲିକ୍ ଡୋମେନରେ ଉଭୟ ଅଚଳ ଓ ସଚଳ ସମ୍ପତ୍ତିର ତାଲିକା ଦେଉଥିବା ବେଳେ ଉପର ପାହ୍ୟାରେ ଥାଇ ନିୟମ ମାନୁନଥିବା ଅଧିକାରୀଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ସେ ନେଇ ପ୍ରଶ୍ନ ଉଠୁଛି!

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।