ଦଶ ଦିନରେ ଗଲାଣି ୫ ଜୀବନ, କାରଣ ଖୋଜିବା ପରିବର୍ତ୍ତେ ଗ୍ରାମ ଦେବୀଙ୍କୁ ପୂଜୁଛନ୍ତି ଲୋକ

ନବରଙ୍ଗପୁର (ନବଘନ ବିଷୋୟୀ): ୧୦ ଦିନରେ ଗଲାଣି ୫ ଜଣଙ୍କ ଜୀବନ। ତାହା ପୁଣି ଗୋଟିଏ ସାହିରେ। ଆହୁରି ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେବେ କେଉଁ କାରଣରେ ଗାଁ ଲୋକଙ୍କ ମୃତ୍ୟୁ ହେଉଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କିନ୍ତୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ବାର୍ଦ୍ଧକ୍ୟ ଜନିତ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗାଁ ଲୋକେ ମୃତ୍ୟୁର କାରଣ ଖୋଜିବା ପରିବର୍ତ୍ତେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ପରଜା ସାହିରେ ୬୦ ପରିବାର ବସବାସ କରୁଛନ୍ତି। ସେହି ସାହିରେ ଗତ ୧ ତାରିଖରେ ଚନ୍ଦ୍ରମା ଜାନି, ୩ ତାରିଖରେ ଗୌରୀ ଜାନି ଓ ୫ ତାରିଖରେ କୁସୁମତି ଜାନିଙ୍କ ମୃତ୍ୟୁ ଘଟିଥିଲା। ଛାତି ବଥା ଓ ପେଟ ବଥା ହୋଇ ସେମାନଙ୍କ ମୃତ୍ୟୁ ହୋଇଥିଲା। କୁସୁମତିଙ୍କ ମୃତ୍ୟୁର ୪ ଦିନ ପରେ ଅର୍ଥାତ ଗତ ୯ ତାରିଖରେ ସେହି ସାହିରେ ସନୁ ଜାନି ଓ ୧୦ ତାରିଖରେ ବୁଦାଇ ଜାନିଙ୍କ ମୃତ୍ୟୁ ହୋଇଥିଲା।

୧୦ ଦିନ ବ୍ୟବଧାନରେ ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏବେ ଗାଁରେ ଅନେକ ଲୋକ ଅସୁସ୍ଥ ହୋଇ ତେନ୍ତୁଳିଖୁଣ୍ଟି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚନ୍ଦ୍ରମା ଜାନିଙ୍କ ମୃତ୍ୟୁ ଯୋଗୁ ଅନ୍ୟମାନଙ୍କ ମୃତ୍ୟୁ ହେଉଥିବା ଗାଁ ଲୋକଙ୍କ ମନରେ ସନ୍ଦେହ ହେଉଛି। କାରଣ ଚନ୍ଦ୍ରମା ଜାନି ଗାଁ ଗୁରୁମାଇଁ(ଦେବା ଦେବୀ ପୂଜା କରୁଥିବା ବ୍ୟକ୍ତି) ହୋଇଥିବାରୁ ଗ୍ରାମବାସୀ ମନରେ ଏଭଳି ସନ୍ଦେହ ହେଉଛି।

୧୦ ଦିନରେ ୫ ଜଣଙ୍କ ଜୀବନ ଯିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ରିପୋର୍ଟର ପ୍ରତିନିଧି ଖଣ୍ଡିଆଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ଦେଖିବାକୁ ପାଇଥିଲେ। ଗାଁରେ ଯେଉଁଆଡ଼େ ଚାହିବ କୁଢକୁଢ ଆବର୍ଜନା ଓ ଖାଲି ଦେଶୀ ମଦ ପାଉଚ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁରେ ମଧ୍ୟ ମଦ୍ୟପଙ୍କ ସଂଖ୍ୟା ଅଧିକ ଥିବା ନଜରକୁ ଆସିଥିଲା। ଯାହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ୱୀକାର କରିଛନ୍ତି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ୫ ଜଣଙ୍କ ମୃତ୍ୟୁ ଘଟଣାକୁ ସ୍ଵାସ୍ଥ୍ୟ ବିଭାଗ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ କହୁଛି। ଯେଉଁଥିପାଇଁ ପ୍ରଶାସନ ତତ୍ପରତା ଦେଖାଉନଥିବା ଆଲୋଚନା ହେଉଛି। ଗାଁ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ତାହାର କାରଣ ବିଷାକ୍ତ ମଦ ନା ଅନ୍ୟ କିଛି, ତାହାର ତଦନ୍ତ ହେବା ଜରୁରୀ ବୋଲି ଗାଁ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି। ଗାଁରେ ଥିବା ଦେବୀ, ଦେବତାଙ୍କ ପୂଜାବିଧି ଠିକରେ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ଗାଁକୁ ଗୁଣିଆ ଆଣି ପୂଜା କରିବା ସ୍ଥିରୀକୃତ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

୫ ଜଣଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏକ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥାଇପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।