୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ମିଳିବ ମାସିକ ୫୦୦ ଟଙ୍କା ପେନସନ

ଭୁବନେଶ୍ୱର: ରାଜ୍ୟର ପଞ୍ଜୀକୃତ ୬୦ ବର୍ଷରୁ ଅଧିକ ବୟସର ସମସ୍ତ ଶ୍ରମିକଙ୍କୁ ମାସିକ ୫ଶହ ଟଙ୍କା ଲେଖାଏଁ ପେନସନ ଦିଆଯିବ। ଶୀଘ୍ର ପେନସନ ସହ ବାସଗୃହ ଯୋଜନା ଲାଗୁ ହେବାକୁ ଯାଉଛି। ଆସନ୍ତା ନଭେମ୍ୱର ଶେଷ ସୁଦ୍ଧା ପେନସନ ଯୋଜନା ଓ ଡିସେମ୍ୱର ଶେଷ ସୁଦ୍ଧା ବାସଗୃହ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାସଗୃହ ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ପାଇଁ ପଞ୍ଚାୟତିରାଜ ବିଭାଗ ଜରିଆରେ ଏକ ଲକ୍ଷ ଟଙ୍କ। ଖର୍ଚ୍ଚରେ ଗୃହ ଯୋଗାଇ ଦିଆଯିବ। ସେହିଭଳି ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ନୀତି ଅନୁଯାୟୀ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ‘ଆବାସ’ ଯୋଜନା ଅନୁଯାୟୀ ଗୃହ ନିର୍ମାଣ କରାଯିବ। ବର୍ତ୍ତମାନ ରାଜ୍ୟରେ ୧୧ଲକ୍ଷ ପଞ୍ଜୀକୃତ ଶ୍ରମିକ ଥିବାବେଳେ ଆସନ୍ତା ତିନିବର୍ଷ ମଧ୍ୟରେ ରାଜ୍ୟରେ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ୨୫ଲକ୍ଷ୍ୟକୁ ବୃଦ୍ଧି କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୧୫-୧୬ରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ୮୦ କୋଟି ଟଙ୍କାର ସୁବିଧା ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।