ହଷ୍ଟେଲରେ ଛାତ୍ରର ମୃତ୍ୟୁ, ଲୁଚାଇବାକୁ ହୋଇଥିଲା ଉଦ୍ୟମ!

ଫୁଲବାଣୀ(ତ୍ରିନାଥ ସାହୁ): ହଷ୍ଟେଲରେ ଛାତ୍ର ମୃତ୍ୟୁକୁ ଲୁଚାଇ ଦେବାକୁ ହୋଇଥିଲା ଉଦ୍ୟମ। ଏପରି ଅଭିଯୋଗ ଆସିଛି ଫୁଲବାଣୀରେ ମଙ୍ଗଳ ବିଭାଗ ଅଧୀନରେ ଚାଲିଥିବା ଅନ୍ଵେଷା ହଷ୍ଟେଲରୁ। ସେପ୍ଟେମ୍ୱର ୨୨ ତାରିଖରେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଆଜି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପ୍ରଘଟ ହେବା ପରେ ମାମଲର ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ।

କୋଟଗଡ଼ ଥାନା ଅନ୍ତର୍ଗତ ଓରା ପଞ୍ଚାୟତର ସିନ୍ଧୁଗୁଡ଼ା ଗାଁର ସୁମନଜିତ ବଳିୟାରସିଂ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଅନ୍ଵେଷା ହଷ୍ଟେଲରେ ରହୁଥିଲେ। ତେବେ ଗତ ମାସ ୨୧ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଅଧିକ୍ଷକ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତେଣୁ ୨୨ ତାରିଖରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ରାସ୍ତାରେ ଗୁରୁତର ହୋଇପଡ଼ିଥିଲେ ସୁମନଜିତ। ତେଣୁ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଛାତ୍ର ମୃତ୍ୟୁ ନେଇ ଫୁଲବାଣୀ WEO ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକେ ମୃତଦେହ ନେବା ପାଇଁ ଆସି ଥିଲେ। ମୃତଦେହ ହସ୍ତାନ୍ତର ବେଳେ ପ୍ରଶାସନ ପରିବାର ଲୋକଙ୍କଠାରୁ ଚାଲାକି କରି ଅଣ୍ଡରଟେକିଂ ନେଇଯାଇଥିବା ଚର୍ଚ୍ଚା ହେଉଛି। ପରେ ପରିବାର ଲୋକ ମୃତଦେହକୁ ନେଇ ଗାଁରେ ସଂସ୍କାର କରିଥିଲେ। ସେତେବେଳେ କିନ୍ତୁ ସେହି ଘଟଣା ପ୍ରଘଟ ହୋଇଥିଲା। ପ୍ରଶାସନ ଚୁପ୍‌ଚାପ ସବୁ ରଫାଦଫା କରିଦେଇଥିବା ଆଲୋଚନା ହେଉଛି।

ଆଜି ପରିବାର ଲୋକେ ମୃତ ଛାତ୍ରଙ୍କ ବହି ବସ୍ତାନି ନେବା ପାଇଁ ହଷ୍ଟେଲକୁ ଆସିଥିଲେ। ହଷ୍ଟେଲ୍‌ରୁ ବହି ବସ୍ତାନି ନେଇ ଗାଡ଼ି ଲଦା ଯାଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସର୍ବସାଧାରଣରେ ଜଣାପଡ଼ିଥିଲା। ଏହି ଘଟଣା ପ୍ରଘଟ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଫୁଲବାଣୀ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।