ସାହି ଭୋଜିରୁ ତୁମୁଳ କାଣ୍ଡ, ହଣାହଣି ହେଲେ ୨ ଗୋଷ୍ଠୀ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଭୋଜିରେ ହୋଇଥିବା ସାମାନ୍ୟ ବଚସା ନେଲା ଉଗ୍ର ରୂପ । ମୁହାଁମୁହିଁ ହେଲେ ୨ ଗୋଷ୍ଠୀ ।  ଏପରିକି ଏହା ଉଗ୍ର ରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷରେ ପରିଣତ ହେଲା। ଏଥିରେ ୭ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାଯାଇଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମରେ ଏପରି ଗୋଷ୍ଠି ସଂଘର୍ଷ ଘଟିଛି ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମରେ ଗତ ଦୁଇ ଦିନ ତଳେ ଏକ ଭୋଜି ହୋଇଥିଲା। ଏହାକୁ ନେଇ ଦୁଇ ସାହିର କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ତାହା ଗତକାଲି ଉଗ୍ର ରୂପ ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଗତକାଲି ଗାଁର ବଡ଼ ସାହି ଓ ହରିଜନ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ମାରଣାସ୍ତ୍ରରେ ଆକ୍ରମଣ କରିବାରୁ  ଉଭୟ ଗୋଷ୍ଠୀର  ୭ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି ।  ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ଖବର  ପାଇ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।