ସତୁରୀରେ ସ୍ୱପ୍ନବିଳାସୀ, ନାଁ ତାଙ୍କର ସରୋଜିନୀ

ଚାନ୍ଦବାଲି( ବାସୁଦେବ ଦାସ) : ପେସା ରୋଜଗାର ଦିଏ ସତ, କିନ୍ତୁ ନିଶା ଦିଏ ବଞ୍ଚିବାର ରାହା। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ହରିପୁରର ସରୋଜିନୀ ମଲ୍ଲିକ। ତାଙ୍କୁ ୭୦ ଟପିଲାଣି; କିନ୍ତୁ ଆଜି ବି ସେ ନିଜ କଳାକୁ ନେଇ ବେଶ୍ ସ୍ୱପ୍ନବିଳାସୀ।

ପିଲାଟି ଦିନୁ ଗୀତ ଗାଇବା ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍ ପାରଙ୍ଗମ ସରୋଜିନୀ। ଏବେ ପରିଣତ ବୟସରେ ତଥାପି ତୁଟିନି ସଂଗୀତ ପ୍ରେମ। ଆଜି ବି ହାର୍ମୋନିୟମ୍ ଧରି କଣ୍ଠ ଫିଟାଇଲେ, ବାଟରେ ଯାଉଥିବା ଲୋକ ବି ଦଣ୍ଡେ କାନ ଡେରି ଶୁଣିବ ତାଙ୍କ ସୁମଧୁର ଗୀତ।

ସରୋଜିନୀ ହାର୍ମୋନିୟମ୍ ବଜାଇ ଓଡ଼ିଶୀ, ଭଜନ, ଜଣାଣ ଓ ରାଗ-ରାଗିଣୀ ଆଦି ଗାଇଲେ ଲାଗେ, ସତେକି ତାଙ୍କ କଣ୍ଠରେ ସରସ୍ୱତୀ ବିରାଜିତ। ଗୀତ ଗାଇବା ସାଙ୍ଗକୁ ଢୋଲକି ଓ ତବଲା ଭଳି ବାଦ୍ୟ ଯନ୍ତ୍ରରେ ବି ସେ ଖୁବ୍ ପ୍ରବୀଣା। ଶରୀରରେ ବାର୍ଦ୍ଧକ୍ୟର ଛାପ ପଡ଼ିଛି ସତ, କିନ୍ତୁ ତାଙ୍କର ଏହି ରୁଚିରେ, ସଂଗୀତକୁ ନେଇ ବଞ୍ଚିବାର ନିଶାରେ, ବୟସର ସାମାନ୍ୟତମ ପ୍ରଭାବ ପଡ଼ିନି।

ପିଲାଟି ଦିନରୁ ସଂଗୀତ ପ୍ରତି ଆକର୍ଷିତ ଥିବା ସରୋଜିନୀ ୧୦ ବର୍ଷ ବୟସରୁ ନିଜ ମାମୁ ହାଡ଼ିବନ୍ଧୁ ମହାରଣାଙ୍କ ଠାରୁ ସଂଗୀତ ଶିକ୍ଷା ଲାଭ କରନ୍ତି। ପରେ ଅନ୍ନପୂର୍ଣ୍ଣା ଥିଏଟର୍‌ରେ ବି ଗୀତ ଗାଇବାର ସୁଯୋଗ ପାଆନ୍ତି। ବିବାହ ପରେ ମଧ୍ୟ ଜାରି ରହେ ସଂଗୀତ ଅଭ୍ୟାସ। ଜୀବନରେ ଅନେକ ପ୍ରଶଂସା ଓ ସ୍ୱୀକୃତି ସାଉଁଟିଥିବା ସରୋଜିନୀ ଆଜିବି ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରିବା ସହ ଛୋଟଛୋଟ ପିଲାଙ୍କୁ ଗୀତ ଶିଖାଉଛନ୍ତି।

କଳାକୁ କୋଳେଇ ଧରି, ସଂଗୀତକୁ ସଙ୍ଗୀ କରି, ଜୀବନର ପ୍ରତିଟି ସୋପାନକୁ ଉପଭୋଗ କରୁଥିବା ସରୋଜିନୀ, ବାର୍ଦ୍ଧକ୍ୟ ଆସିବା ଆଗରୁ ନିଜକୁ ବୃଦ୍ଧ ଭାବୁଥିବା ମଣିଷଙ୍କ ପାଇଁ ନିଶ୍ଚିତ ରୂପେ ଜଣେ ପ୍ରେରଣାର ଉତ୍ସ।