‘୩ ହଜାର ଦିଅ, ୪୦ ହଜାର ଲୋନ୍‌ ନିଅ’- ଏପରି ଅଫର ଦେଇ ଠକୁଥିଲେ ନକଲି ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୩ ହଜାର ଟଙ୍କା ଲେଖା ଦିଅ। ୪୦ ହଜାର ଟଙ୍କାର ଲୋନ୍‌ ପାଇବ।”  ଏପରି ଲୋଭନୀୟ ଅଫର ଦେଇ  ବହୁ ମହିଳାଙ୍କୁ ଠକିଥିବା ଜଣେ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଅଭିଯୋଗ ଅନୁଯାୟୀ, ଯୁବକ ଜଣଙ୍କ  ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଲୋନ୍ କରାଇ ଦେବେ ବୋଲି ଅଫର୍‌ ଦେଉଥିଲେ।  ୩ ହଜାର ଟଙ୍କା ଦେଲେ ୪୦ ହଜାର ଟଙ୍କା ଋ଼ଣ କରିଦେବାକୁ ପ୍ରତିଶ୍ରୁତି ଦେଉଥିଲେ।  ସହଜରେ ଲୋନ୍‌ ପାଇବା ଆଶାରେ ବହୁ ମହିଳା ତାଙ୍କୁ ଟଙ୍କା ଦେଇଥିଲେ। ମାତ୍ର ଲୋନ୍‌ ନ ପାଇବାରୁ ଭିଏସ୍‌ଏସ୍‌ ନଗରର କିଛି ମହିଳା ଥାନାରେ ଅଭିଯୋଗ କରିଥିଲେ।

ଏନେଇ ଜଣେ ମହିଳା କହିଛନ୍ତି, ”୧୦ ଦିନରେ ଲୋନ ଦେବେ କହି ଅନେକ ମହିଳାଙ୍କ ଠାରୁ ୩ ହଜାର ଟଙ୍କା ଲେଖାଏଁ ନେଇଥିଲେ। କିନ୍ତୁ ୩ ମାସ ହେଲା ଲୋନ୍‌ ଦେଉ ନଥିଲେ। ଫୋନ୍‌ କଲେ ଆମେ ସେ ସାର୍‌ ନୁହଁ ବୋଲି କହୁଥିଲେ। ହେଲେ ଫୋନ କରି ନୂଆ ଲୋନ କରିବା ପାଇଁ ଡାକିଥିଲୁ। ଏହାପରେ ତାଙ୍କୁ ଧରି ପୁଲିସ୍‌ ଜିମା ଦେଇଛୁ।”

ଏନେଇ ଥାନା ଅଧିକାରୀ କହିଛନ୍ତି, ୩ ଝିଅ ଓ ଜଣେ ପୁଅ ଲୋନ୍ କରାଇ ଦେବାକୁ କହି ଲୋକଙ୍କଠାରୁ ଟଙ୍କା ନେଇ ଆଉ ଧରାଛୁଆଁ ଦେଇ ନଥିଲେ। ଗତକାଲି ଲୋକେ ତାଙ୍କୁ ପାହାଳ ପାଖରେ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ସେମାନଙ୍କୁ ଥାନାକୁ ଆଣିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।