ନ୍ୟୁଡ୍‌କଲର ଶିକାର ହେଲେ ଯନ୍ତ୍ରୀ, ୬ ଲକ୍ଷ ନେଇଗଲା ମାୟାବିନୀ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍‌ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଏହି ଯନ୍ତ୍ରୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଜଣେ ଯୁବତୀଙ୍କ ମାୟାଫାସରେ ପଡ଼ି ଟଙ୍କା ହରାଇଛନ୍ତି। ଏନେଇ ଅଭିଯୋଗ ପରେ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି ସେରଙ୍ଗ ଥାନା ପୁଲିସ। ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଭି.ନିଖିଲେସ। ସେପଟେ ମାଷ୍ଟର ମାଇଣ୍ଡ ଯୁବତୀ ଶ୍ରୀ’ଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛି ପୁଲିସ। ଗତ ବର୍ଷେ ହେଲା ଯୁବତୀଙ୍କ ସହ ସଂପର୍କରେ ଥିଲେ କନିଷ୍ଠ ଯନ୍ତ୍ରୀ।

ସୂଚନା ମୁତାବକ, ପ୍ରଥମେ ଯୁବତୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା। ତା’ ପରେ ଚାଟିଂରେ ଫୋନ୍‌ ନମ୍ବର ଦିଆନିଆ ଓ ନମ୍ବର ପାଇବା ପରେ ୱାଟ୍ସ ଆପରେ ଆରମ୍ଭ ହୋଇଥିଲା ପ୍ରେମ। ତା’ ପରେ ଅଶ୍ଳିଳ କଥାବାର୍ତ୍ତା ସହ ନ୍ୟୁଡ୍ ଭିଡିଓ କଲ୍‌ର ଶିକାର ହୋଇଥିଲେ ଯନ୍ତ୍ରୀ। ଏହି କଥାବାର୍ତ୍ତା ଓ ନ୍ୟୁଡ୍ ଭିଡିଓ କଲକୁ ସ୍କ୍ରିନ୍ ରେକର୍ଡର ଜରିଆରେ ରେକର୍ଡ କରିନେଇଥିଲେ ଅଭିଯୁକ୍ତ ଯୁବତୀ।

ପରେ ଯୁବତୀ ଜଣକ ଯନ୍ତ୍ରୀଙ୍କୁ ଏହି ଭିଡିଓକୁ ଭାଇରଲ କରିବାର ଭୟ ଦେଖାଇ ବ୍ଲାକ୍‌ମେଲ କରିଥିଲେ ଓ ତାଙ୍କ ଠାରୁ ଏ ଯାବତ ପ୍ରାୟ ବିଭିନ୍ନ ପର୍ଯ୍ୟୟରେ ୬ ଲକ୍ଷ ଟଙ୍କା ଆଦାୟ କାରିନେଇଛନ୍ତି। ପୀଡ଼ିତ ଯନ୍ତ୍ରୀ ଲୋକଲଜ୍ଜା ଭୟରେ ଯୁବତୀ କହିବା ମୁତାବକ ବିଭିନ୍ନ ବ୍ୟାଙ୍କ ଓ ଫୋନ୍‌ ପେ ଆକାଉଣ୍ଟକୁ ଟଙ୍କା ପଠାଇ ଚାଲିଥିଲେ। ହେଲେ ପରେ ସାହାସ ବାନ୍ଧି ବ୍ଲାକମେଲରୁ ମୁକୁଳିବା ପାଇଁ ଯନ୍ତ୍ରୀ ଜଣକ ଏ ନେଇ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ସେରଙ୍ଗ ଆଇଆଇସି ଏହି ମାମଲାରେ ସମ୍ପୃକ୍ତ ଯୁବତୀଙ୍କୁ ଥାନାରେ ହାଜର ହେବାକୁ ନୋଟିସ କରିଥିବା ବେଳେ ଯୁବତୀଙ୍କ ମଧ୍ୟମରେ ଟଙ୍କା ଆଦାୟ କରୁଥିବା ଯୁବକଙ୍କୁ ଗିରଫ କରିଛି।

ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଓ ସହଯୋଗୀ ଅଭିଯୁକ୍ତମାନଙ୍କ ୬ ମୋବାଇଲ ଜବତ କରିଛି ପୁଲିସ। ଏହି ମୋବାଇଲ ଗୁଡ଼ିକ ଭି.ନିଖିଲେସ ଓ ଅନ୍ୟ ୪ ଜଣଙ୍କର ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଭି. ଲିଖିତା, ଭି. ଲଳିତା, ଭି. ରାବଣ, ବିଶାଲ ମିଶ୍ର ବୋଲି ଜଣାପଡ଼ିଛି। ସେହିପରି ଭି. ଲିଖିତା, ଭି. ଲଳିତାଙ୍କ ଏଟିଏମ୍ ଓ ବ୍ୟାଙ୍କ ପାସ୍‌ବୁକ୍ ଜବତ କରାଯାଇଛି। ଏହି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଯଥାକ୍ରମେ ୧ ଲକ୍ଷ ୪୧ ହଜାର ଟଙ୍କା ଓ ୧ ଲକ୍ଷ ୫୭ ହଜାର ଟଙ୍କାକୁ ପୁଲିସ ଅଚଳ କରିଦେଇଛି। ସମସ୍ତଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ କରାଯାଇଛି।

ଏହି ମାମଲାରେ ଦୁଇ ଜଣ ଯୁବତୀଙ୍କ ଲିଙ୍କ ବାହାରକୁ ଆସିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ଅଶୋକ ହାଁସଦା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।