ମଉଳିଗଲା ମହିଳାଙ୍କ ଆଶା; ୩ ଦିନ ଧାରଣା ପରେ ବି ଖୋଲିଲାନି ଶାଶୁ ଘର କବାଟ
ବାରିପଦା(ରାଜେଶ କୁମାର ଶର୍ମା): ସୁଖର ସଂସାର ଗଢ଼ିବେ ବୋଲି ହାତ ଧରିଥିଲେ। ହେଲେ ବେଶି ଦିନ ତିଷ୍ଠି ପାରିଲାନି ଖୁସି। ଯୌତୁକ ନିଆଁରେ ଜଳିଗଲା ସଂସାର। ସମ୍ପର୍କରେ ଫାଟ ପଡ଼ିବାରୁ ନିଜ ୬ ବର୍ଷର ପୁଅକୁ ଧରି ସ୍ତ୍ରୀ ଏବେ ବାପଘରେ । ଏନେଇ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ପୁଣି ଥରେ ସ୍ୱାମୀ ପାଖକୁ ଫେରିବାକୁ ଆଶା ରଖି ଶାଶୁ ଘର ଦୁଆର ମୁହଁକୁ ଆସିଥିଲେ ମହିଳା। ନିଜ ଛୁଆକୁ ଧରି ୩ ଦିନ କାଳ ଶାଶୁ ଘର ଦୁଆର ମୁହଁରେ ପଡ଼ି ରହିଲେ ମଧ୍ୟ ସେମାନେ କବାଟ ଖୋଲିଲେ ନାହିଁ। ଶେଷରେ ନିରାଶ ହୋଇ ବାପ ଘରକୁ ଫେରିଲେ ମହିଳା। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡ଼ାମ୍ତଳିଆରେ ।
ସୂଚନା ମୁତାବକ, ୨୦୧୪ରେ ସିଦ୍ଧାର୍ଥ ପରିଡ଼ାଙ୍କ ସହ ବାଲେଶ୍ୱରର ବିଦୁସ୍ମିତା ରଣାଙ୍କ ବିବାହ ହୋଇଥିଲା। ୨୦୧୬ ମସିହାରେ ପାରିବାରିକ ଅଶାନ୍ତିରୁ ସେ ବାପ ଘରକୁ ପଳାଇଥିଲେ। ଏବେ କୋର୍ଟରେ କେସ୍ ଚାଲିଛି। ତେବେ ୩ ଦିନ ତଳେ ବିଦୁସ୍ମିତା ନିଜ ପୁଅ ସହ ପୁଣି ଶାଶୁଘରେ ରହିବାକୁ ଆସିଥିଲେ ମଧ୍ୟ ତାଙ୍କୁ କେହି ଘରେ ପୁରାଇନଥିଲେ । ଏହାର ପ୍ରତିବାଦରେ ସେ ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ପୋଲିସ ସୂଚନା ପାଇଁ ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ବିଦୁସ୍ମିତାଙ୍କୁ ବୁଝାଇ ତାଙ୍କ ବାପାଘରକୁ ପଠାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।