ମେ’ରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ: ଆଇଏମଡି ଡିଜି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମେ’ ମାସରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସାଧାରଣତଃ ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତା’ର ତୀବ୍ରତା ଅଧିକ ରହିବାର ସମ୍ଭାବନା ଥାଏ। ତେଣୁ ମେ’ ମାସରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି। ଆଜି ଏମିତି କିଛି ସୂଚନା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ମେ’ ୬ ତାରିଖ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ମେ’ ମାସରେ ସାଧାରଣତଃ ଯେତେବେଳେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ, ତାହା ଅଧିକ ତୀବ୍ରତର ହେବାର ସମ୍ଭାବନା ଥାଏ। ତେଣୁ ମେ’ ୬ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ଆକଳନ ଜାରି ରହିଛି। ବର୍ତ୍ତମାନ ପାଇଁ ଆମେ କୌଣସି ପୂର୍ବାନୁମାନ ଦେଇ ନାହୁଁ ଯେ ଏହା କେଉଁ ଉପକୂଳକୁ ଯିବ ଓ କେତେ ତୀବ୍ରତର ହେବ। ଯେତେବେଳେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବ, ସେତେବେଳେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ସୂଚନା ପ୍ରଦାନ କରାଯିବ।

ମେ’ରେ ବାତ୍ୟା ହେବ ବୋଲି ବିଭିନ୍ନ ମଡେଲ ଆକଳନ କରିଥିବା ବେଳେ ଏନେଇ ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଭାରତ ମହାସାଗରରେ ବାତ୍ୟା ସାଧାରଣତଃ ଦୁଇଟି ସିଜିନ୍‌ରେ ହୋଇଥାଏ। ଗୋଟିଏ ହେଉଛି ପ୍ରାକ୍ ମୌସୁମୀ ଋତୁ (ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ୍‌)। ଅର୍ଥାତ୍ ମୌସୁମୀ ଆସିବା ପୂର୍ବରୁ । ଆଉ ଗୋଟିଏ ହେଉଛି- ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର। ପ୍ରାକ୍ ମୌସୁମୀ ଋତୁରେ ମେ’ ମାସରେ ସବୁଠୁ ଅଧିକ ବାତ୍ୟା ହୋଇଥାଏ। ସେହିପରି ମୌସୁମୀ ବାୟୁ ଚାଲିଯିବା ପରେ ନଭେମ୍ବର ମାସରେ ଅଧିକ ବାତ୍ୟା ହୋଇଥାଏ। ସାଧାରଣତଃ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ତିନି/ଚାରିଟି ବାତ୍ୟା ହୋଇଥାଏ। ସେହିଭଳି ଗୋଟିଏ/ଦୁଇଟି ବାତ୍ୟା ଏପ୍ରିଲ, ମେ’ ଓ ଜୁନ୍ ମାସ ମଧ୍ୟରେ ହୋଇଥାଏ। ତେଣୁ ମେ’ ମାସରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ଆମେ ନିରବଚ୍ଛିନ୍ନ ଭାବେ ଆକଳନ ଜାରି ରଖିଛୁ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ପରବର୍ତ୍ତୀ ଆକଳନ କରାଯାଇପାରିବ।

ଏହା ସହିତ କାଳବୈଶାଖୀ ଯୋଗୁ ଏଥର ମେ’ ମାସରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ। ତେବେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ସେହିପରି ମେ’ ମାସରେ ସାଧାରଣତଃ ଯେତିକି ବର୍ଷା ହୋଇଥାଏ, ଏଥର ତା’ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।