ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା’ ଗୁରୁତର

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର କୋଡ଼ାସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକଙ୍କ ନାଁ ବାଳକୃଷ୍ଣ ବେହେରା (୪୮)। ତାଙ୍କ ପୁଅ ତଥା ଅଭିଯୁକ୍ତ ନାଁ ତ୍ରିନାଥ ବେହେରା (୨୩)। ତ୍ରିନାଥ ହେଉଛନ୍ତି ବାଳକୃଷ୍ଣଙ୍କ ବଡ଼ପୁଅ।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରରେ କୌଣସି କଥାକୁ ନେଇ ବାଳକୃଷ୍ଣ ଓ ତ୍ରିନାଥଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ତ୍ରିନାଥ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ତାଙ୍କ ବାପାମା’ଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବାପା ବାଳକୃଷ୍ଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମା’ ରୁକ୍ମଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜରପଡ଼ା ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି। ଏହା ସହିତ ଅଭିଯୁକ୍ତ ତ୍ରିନାଥକୁ ଅଟକ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।