ରଜଦୋଳି ଖେଳିବାକୁ ଡାକି ନେଇ…

ବାରିପଦା (ମାଣିକ ଲାଲ ପାଣି): ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ବେତନଟୀର ଗରୁଡ଼ବସା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣଙ୍କ ହେଲେ ଜାମିନକାନ୍ତ ମହାନ୍ତ।

ଗତକାଲି ପାଖ ଗାଁରେ ରଜ ଦୋଳି ଖେଳିବାକୁ ଜାମିନକାନ୍ତ ନାବାଳିକା ଜଣକୁ ଡାକି ନେଇଥିଲେ। ସନ୍ଧ୍ୟାବେଳେ ଜାମିନକାନ୍ତ ଘରକୁ ଫେରିଥିଲେ, କିନ୍ତୁ ନାବାଳିକା ଜଣଙ୍କ ଘରକୁ ଫେରି ନ ଥିଲେ। ନାବାଳିକା ଜାମିନକାନ୍ତଙ୍କ ସାଙ୍ଗରେ ନେଇ ଯାଉଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କୁ ପଚରାଉଚରା କରିଥିଲେ। ସେ କିଛି ଜାଣିନାହାଁନ୍ତି ବୋଲି କହିଥିଲେ। ତାଙ୍କ କଥା ଉପରେ ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ପରିବାର ଲୋକ ପୋଲିସ୍‌କୁ ଜଣାଇଥିଲେ। ଆଜି ସକାଳୁ ନାବାଳିକାଙ୍କ ମୃତଦେହ ଗାଁର ପାଖ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

ଜାମିନକାନ୍ତ ନାବାଳିକା ସହ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୂର୍ବରୁ ଜାମିନକାନ୍ତ ଦୁଷ୍ମର୍ମ ଅଭିଯୋଗରେ ଜେଲ୍‌ ଯାଇଥିଲେ। ଜାମିନରେ ଆସି ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିଲେ। ଦୁଇଦିନ ହେବ ଗାଁକୁ ଫେରିଥିଲେ।