ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ ବାଧ୍ୟତାମୂଳକ ଅବସର, ପୁଣି ଫେରାଇଲେ ଚାକିରି

ସୁନ୍ଦରଗଡ଼(ବିଜୟ ବରୁଆ): ୨୭ ବର୍ଷ ଚାକିରି କରିବା ପରେ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ମାସେ ପୂର୍ବେ ବାଧ୍ୟତାମୂଳକ ଅବସର ଦେଇ ଅଡ଼ୁଆରେ ପଡ଼ିଥିଲା ଗଣଶିକ୍ଷା ବିଭାଗ । ବିଭିନ୍ନ ମହଲରୁ ଶିକ୍ଷା ବିଭାଗର ଏପରି ପଦକ୍ଷେପକୁ ନାପସନ୍ଦ କରାଯାଇଥିବା ବେଳେ ଏବେ ପୁଣି ଥରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଏପରି ଘଟଣା ସୁନ୍ଦରଗଡ଼ରେ ଘଟିଥିବା ବେଳେ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା।

ସୂଚନା ଅନୁଯାୟୀ, ଦୀର୍ଘ ୨୭ ବର୍ଷ ଧରି ଶିକ୍ଷକତା କରିଥିବା ତପେଶ୍ୱରୀ ୩ ବର୍ଷ ତଳେ ଦୁର୍ଭାଗ୍ୟବଶତଃ ନିଜର ଦୃଷ୍ଟିଶକ୍ତି ହରାଇଥିଲେ। ଏହାସତ୍ତ୍ୱେ ସେ ସ୍କୁଲ ଯାଇ ପାଠ ପଢ଼ାଉଥିଲେ। ଚାକିରି ଆହୁରି ୬ ବର୍ଷ ବାକିଥିଲେ ବି ସରକାର ଗତ  ଫେବୃଆରୀ ୧୭ ରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।  ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏନେଇ  ଗଣଶିକ୍ଷା ମନ୍ତ୍ରୀ  ସମୀର ଦାସ କହିଛନ୍ତି, ଚାକିରି କାଳ ମଧ୍ୟରେ ଶିକ୍ଷୟିତ୍ରୀଜଣକ ଦୃଷ୍ଟିହୀନ ହୋଇଥିବା ଖବର ଗଣମାଧ୍ୟମରୁ ପାଇଲି। ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲି। ରାଜ୍ୟସ୍ତରରୁ ଏକ କମିଟି ଯାଇ  ତଦନ୍ତ କରିଥିଲା। ଯେଉଁମାନେ ଚାକିରି କାଳ ମଧ୍ୟରେ ଭିନ୍ନକ୍ଷମ ହୋଇଥିବେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ତେଣୁ ରାଜ୍ୟ ସରକାର ତାଙ୍କୁ ପୁଣି ଥରେ ନିଯୁକ୍ତି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।