କେବେ ଯାଇଛନ୍ତି କି, ମନ୍ଦିର ମାଳିନୀ ନଗରରେ ଥିବା ଏହି ପ୍ରେମ ମନ୍ଦିରକୁ ?

ସୋନପୁର(ରବୀନ୍ଦ୍ର ହୋତା): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମକୁ ନେଇ କେତେ କାହାଣୀ କେତେ କବିତା ରଚନା ହୋଇଛି। ନିଜ ପ୍ରେମକୁ ଚିରନ୍ତନ କରିବାକୁ କିଏ ଉପହାର ଦେଇଛି ତ କିଏ ତୋଳିଛି ମନ୍ଦିର। ଆଜି ପ୍ରେମ ଦିବସରେ ସୁବର୍ଣ୍ଣପୁରର ଏକ ନିଚ୍ଛକ ପ୍ରେମ କାହାଣୀର ଗାଥା ବହନ କରୁଥିବା ମନ୍ଦିରର କଥା ଜାଣିବା।

ମନ୍ଦିର ମାଳିନୀ ସହର ଭାବରେ ପରିଚିତ ସୁବର୍ଣ୍ଣପୁର ସହରରେ ରହିଛି ମୋଟ ୧୦୮ଟି ମନ୍ଦିର। ହେଲେ ସୁବର୍ଣ୍ଣପୁର କଚେରୀ ଛକ ମୁଖ୍ୟ ରାସ୍ତା କଡ଼ରେ ଥିବା ଶଷିଶେଣା ମନ୍ଦିର ବା ନିମୁହିଁ ମନ୍ଦିର ଟିକେ ଭିନ୍ନ। ମନ୍ଦିରଟି ଯେତିକି ପୁରୁଣା ତାର ଇତିହାସ ମଧ୍ୟ ସେତିକି ପ୍ରାଚୀନ। ସୋନପୁରର ରାଜକୁମାରୀ ଶଷିଶେଣା, ଜ୍ଞାନଦେଇ ମାଲୁଣୀ ଏବଂ ଅହିମାଣିକ୍ୟକୁ ନେଇ ଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୁତିକୁ ବହନ କରୁଛି ଏହି ମନ୍ଦିର।

ଏହି ପ୍ରେମ ମନ୍ଦିର ସାରା ଦେଶରେ ବିରଳ ବୋଲି ଗବେଷକ କହନ୍ତି।

ତନ୍ତ୍ରବିଦ୍ୟା ଜ୍ଞାନଦେଇ ମାଲୁଣୀ ଚରିତ୍ରଟି ସୁବର୍ଣ୍ଣପୁର ଲୋକ କଥାରେ ବେଶ ମର୍ଯ୍ୟାଦା ପାଇଛି। ଦିନର ଭେଣ୍ଡାକୁ ରାତିରେ ମେଣ୍ଢା କରିପାରୁଥିବା ଏହି ଚରିତ୍ର ଓଡିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଗ୍ରହଣ କରିଛି। ଆଉ ମାଲୁଣୀଙ୍କ ସହ ରାଜକୁମାରୀ ଶଷିଶେଣା ଓ ଅହିମାଣିକ୍ୟକୁ ନେଇ ଗଢିଉଠିଥିବା ତ୍ରୀକୋଣୀୟ ପ୍ରେମ କାହଣୀର ସ୍ମୃତୀ ଧାରଣ କରିଛି ଏହି ନିମୁହିଁ ମନ୍ଦିର।

ଏହାର କାହାଣୀ ଯେତିକି ରୋଚକ, ସେତିକି ଆକର୍ଷଣୀୟ। ଏହି ଚରିତ୍ର ତିନୋଟିର କଥା ଓ କହାଣୀ ଆଜିବି ମନ୍ଦିର କାନ୍ଥରେ ଦେଖିବାକୁ ମିଳୁଛି। ଅମର ପ୍ରେମର ସ୍ୱର୍ଣ୍ଣିମ ସ୍ମୁତୀକୁ ଏହି ଶଷିଶେଣା ମନ୍ଦିର ସାଇତି ରଖିଛି। ତେବ ସୁରକ୍ଷା ଅଭାବରୁ ଏହିଭଳି ଏକ ପ୍ରେମର ସନ୍ତକ ଅବହେଳିତ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ଏହାର ସୁରକ୍ଷା ଦାବି କରିଛନ୍ତି। ଅପରପକ୍ଷରେ ଜିଲ୍ଲା ସଂସ୍କୃତି ବିଭାଗ ଏହିଭଳି ଏକ ଐତିହାସିକ ମନ୍ଦିରର ସୁରକ୍ଷା ଦିଗରେ ଆଗକୁ କାମ କରିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି।