୪ ଦିନ ତଳେ ରେପ୍‌ କରିଥିଲେ, କାଲି ବାହାହେଲେ

ବାଲିଗୁଡ଼ା (ଅଜିତ କୁମାର ନାୟକ): ଚାରି ଦିନ ତଳେ ମୁଣ୍ଡରେ ଲାଗିଥିଲା ଅପବାଦର ଛିଟା। ଚାରିଆଡ଼ୁ ହୋଇଥିଲେ ସମାଲୋଚନାର ଶିକାର। ଆଜି ସେହି ଛିଟା ପାଲଟିଲା ସିନ୍ଦୂର ଟିକା। ମାଆ ତାରିଣୀଙ୍କ ସାମ୍ନାରେ ଫୁଲ ମାଳ ପିନ୍ଧାଇ ସାତ ଜନମର ଜୀବନ ସାଥୀ କଲେ କଳଙ୍କ ଲଗାଇଥିବା ପୁରୁଷ। ଆମେ କହୁଛୁ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଦୁଷ୍କର୍ମ କରିଥିବା ଯବାନଙ୍କ କଥା। ଯବାନ ଜଣକ ପୀଡ଼ିତାଙ୍କୁ ତାରିଣୀ ମାଆଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି।

ଟିକାବାଲି ଥାନା ପେନାଗବେରୀ ଗାଁର ଟୁଲୁ ପ୍ରଧାନ ହେଉଛନ୍ତି ବିହାର ରେଜିମେଣ୍ଟର ଯବାନ। କିଛିଦିନ ତଳେ ସେ ଛୁଟିରେ ଗାଁକୁ ଆସିଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଟୁଲୁ ଜଣେ ମହିଳା ହୋମଗାର୍ଡ଼ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଅଭିଯୋଗ କରିବା ପରେ ଗତ ୧୫ ତାରିଖରେ ପୋଲିସ ମାମଲା ରୁଜୁ କରି ଟୁଲୁକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଟୁଲୁ ଜଣେ ଯବାନ ହୋଇଥିବାରୁ ପୋଲିସ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲା। ଜି.ଉଦୟଗିରି ଥାନା ପୋଲିସର ପ୍ରସ୍ତାବରେ ଉଭୟ ପରିବାର ଲୋକେ ରାଜି ହୋଇଥିଲେ। ଗତକାଲି ତାରିଣୀ ମନ୍ଦିରରେ ହେଲା ବାହାଘର। ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ। ମହିଳା ହୋମଗାର୍ଡ଼ଙ୍କ ବେକରେ ଫୁଲ ମାଳ ଓ ମଥା ସିନ୍ଦୂର ଦେଇ ସାତ ଜୀବନକୁ ସାଥୀ କରିଥିଲେ ଟୁଲୁ। ବାହାଘର ସରିଥିବାରୁ ମାମଲା ପ୍ରତ୍ୟାହାର କରିବେ ବୋଲି ମହିଳା ହୋମଗାର୍ଡ଼ କହିଛନ୍ତି।