ଏସିଡ୍‌ ମାଡ଼ ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ସଦସ୍ୟା

ବ୍ରହ୍ମପୁର: ଏସିଡ୍‌ ମାଡ଼ରେ ଗୁରୁତର ଗଞ୍ଜାମ ଜିଲ୍ଲା ଗାଙ୍ଗପୁରର ମାମୁନି ବିଷୋୟୀଙ୍କୁ ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି। ସେ ପୀଡିତାଙ୍କ ଠାରୁ ଘଟଣାର କାରଣ ଜାଣିବା ସହ ମେଡିକାଲ ଅଧୀକ୍ଷକଙ୍କୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସହ ଆଗକୁ ପ୍ଲାଷ୍ଟିକ ସର୍ଜରୀ ବାବଦ ଖର୍ଚ୍ଚ ସରକାର ବହନ କରିବେ ବୋଲି ମହାନ୍ତି ସୂଚନା ଦେଇଛନ୍ତି।

ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ମଧ୍ୟ ଆଜି ପୀଡିତାଙ୍କୁ ଭେଟିଥିଲେ। ପୁରା ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର ଲୋକଙ୍କ ଠାରୁ ସେ ଅବଗତ ହୋଇଥିଲେ।

ସେହିପରି ସ୍ୱେଚ୍ଛାସେବୀ ନମ୍ରତା ଚଢ଼ା, ଇନ୍ଦିରା ଦାସ ଏବଂ ଲିଙ୍କନ ସୁବୁଦ୍ଧି ପୀଡିତାଙ୍କୁ ଭେଟିବା ସହ ଗଞ୍ଜାମ ଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ସାକ୍ଷାତ କରି ଜିଲ୍ଲାରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ରୋକିବା ସମ୍ପର୍କରେ ଆଲୋଚନା କରିଥିଲେ।

ଗତ ଶନିବାର ରାତିରେ ମାମୁନି ଘରେ ଶୋଇଥିବା ସମୟରେ କିଛି ଯୁବକ ତାଙ୍କ ଘରେ ତାଙ୍କୁ ଏସିଡ ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ତାଙ୍କ ମୁହଁ, ଛାତି ଓ ଦୁଇ ହାତ ସମେତ ଶରୀରର ୫୦ଭାଗ ଜଳିଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।