ଅଦାଲତ ଅବମାନନା: ବାଲେଶ୍ୱର, ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ ବାଲେଶ୍ୱରର ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଯୋଶୀଙ୍କୁ ଗିରଫ କରି ଯାଜପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇବାକୁ କୋର୍ଟ କହିଛନ୍ତି। ହାଜର ପରେ ଉଭୟଙ୍କୁ ୧ ଲକ୍ଷ ଟଙ୍କ।ର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେବାକୁ ଯାଜପୁର ସିଜେଏମ୍‌ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୪ ତାରିଖରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବାକୁ ଜଷ୍ଟିସ ବିନୋଦ ପ୍ରସାଦ ଏବଂ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଖାଲେଦୁଜ୍ ଜମା ଖାନ୍ ନାମକ ଜଣେ ମଦ୍ରାସା ଶିକ୍ଷକଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୦୧୨ ଜୁନ ୨୫ ତାରିଖରେ ଖାଲେଦୁଜ୍ ଖାନଙ୍କୁ ଯାଜପୁର ଜିଲ୍ଲା ବିଞ୍ଝାରପୁରର ନିଜ ପୁରୁଣା ମଦ୍ରାସାକୁ ସହକାରୀ ଶିକ୍ଷକ ଭାବେ ଫେରାଇ ନେବାକୁ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ ନ ହେବାରୁ ୨୦୧୩ ଏପ୍ରିଲ ୨୧ ତାରିଖରେ ଖାଲେଦୁଜ୍ ଖାନ୍ ଏକ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।