ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର: ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀଙ୍କ କଳା, ସଂସ୍କୃତି, ଜୀବନଧାରଣର ଶୈଳୀ, ଚିତ୍ରକଳା ଓ ସ୍ଥାପତ୍ୟ ଆଦି ଆଦିବାସୀ ମେଳାରେ ଦେଖିବାକୁ ମିଳିବ। ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓଡ଼ିଶାର ୬୨ଟି ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ସରକାରୀ ଯୋଜନାର କାର୍ଯ୍ୟକାରିତାର ଏକ ଝଲକ୍ ମଧ୍ୟ ଚଳିତଥର ମେଳାର ମୁଖ୍ୟ ଆକର୍ଷଣ ହେବ। ଏବର୍ଷ ମେଳାରେ ମୋଟ ୧୮୦ଟି ବିଭିନ୍ନ ପ୍ରକାର ଷ୍ଟଲ୍ ପଡୁଛି। ମେଳାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ରାତି ୯ ପର୍ଯ୍ୟନ୍ତ ଜନଜାତିମାନଙ୍କର ପାରାମ୍ପରିକ ନୃତ୍ୟ, ସଙ୍ଗୀତ ଓ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।