ମହାନଦୀ ଟ୍ରିବ୍ୟୁନାଲକୁ ୩ ବର୍ଷ, ବାହାରି ପାରୁନି ନିଷ୍କର୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲକୁ ଆସନ୍ତାକାଲି ତିନି ବର୍ଷ ପୁରିବ। ଏହାରି ଭିତରେ ୧୯ଥର ଆଲୋଚନା ହୋଇସାରିଥିଲ ହେଁ, ଏଯାଏ ସମାଧାନର ବାଟ ଫିଟିପାରି ନାହିଁ। ଟ୍ରିବ୍ୟୁନାଲ୍ ଗଠନ ହେବା ପରଠାରୁ ଓଡ଼ିଶାକୁ ଟିକିଏ ବି ଫାଇଦା ମିଳିନାହିଁ। ଯାହା ଫଳରେ ଏହି ବିବାଦ ଯେଉଁଠାରେ ଥିଲା, ସେହିଠାରେ ହିଁ ରହିଛି।

ମାର୍ଚ୍ଚ ୧୨, ୨୦୧୮ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ୍ ଗଠନ ହେବା ପରେ ସବୁ ସମାଧାନର ବାଟ ଫିଟିଯିବ ବୋଲି ଲାଗୁଥିଲା। କିନ୍ତୁ ଓଲଟା ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଯୋଗୁ ଓଡ଼ିଶାରେ ନଦୀଶଯ୍ୟା ଶୁଖିଲା ପଡ଼ିରହିଛି। ହୀରାକୁଦ ଉପରମୁଣ୍ଡରେ ଥିବା କଲମା ବ୍ୟାରେଜରେ ପାଣି ଏବେ ଲହଡ଼ି ଭାଙ୍ଗୁଛି। କିନ୍ତୁ ତଳମୁଣ୍ଡରେ ସ୍ଥିତି ସାଙ୍ଘାତିକ ହୋଇଛି। ତଳମୁଣ୍ଡରେ ଟୋପାଏ ବି ପାଣି ନାହିଁ। ସବୁଆଡ଼େ କେବଳ ବାଲି।

ସେହିପରି ହୀରାକୁଦ ତଳମୁଣ୍ଡ ସମ୍ବଲପୁରରେ ମହାନଦୀର ଦୃଶ୍ୟ ନଦୀଶଯ୍ୟା ଶୁଖିକି ଏବେ ପଥର ଦେଖାଗଲାଣି। ଯେଉଁଠି ବି ପାଣି ଅଛି, ତାହା ବହୁତ କମ୍। ସୁବର୍ଣ୍ଣପୁରରେ ମହାନଦୀରେ ମଧ୍ୟ ପାଣି ଶୁଖି ଯିବା ପରେ କେବଳ ବାଲି ଓ ପଥର ଦେଖାଯାଉଛି। ଯାହା ଫଳରେ ନଈକୂଳ ନିକଟରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରସେନର ତଥ୍ୟ ଅନୁସାରେ ଗତବର୍ଷ ମାର୍ଚ୍ଚ ୧୦ ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୦୨ ଫୁଟ୍ ଥିଲା। ତେବେ ଚଳିତ ବର୍ଷ ଏହି ସମୟରେ ଅର୍ଥାତ ଗତକାଲି ଜଳସ୍ତର ୬୧୭.୦୮ ଫୁଟ୍ ଥିଲା। ଯାହାକି ଜଳପତ୍ତନ ପ୍ରାୟ ୭ ଫୁଟ୍ କମ୍ ରହିଛି।

ମହାନଦୀ ବିବାଦକୁ ନେଇ ସେତେବେଳେ ବେଶ୍ ତମ୍ବି ତୋଫାନ କରିଥିଲା ବିଜେଡି। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ କରିଥିଲା ଗର୍ଜନ। ତେବେ ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି, ଯେମିତି ମହାନଦୀ ବିବାଦକୁ ଭୁଲି ଗଲାଣି ଦଳ। ଟ୍ରିବ୍ୟୁନାଲ୍ ଆଳରେ ଏବେ ପୂରା ନୀରବ ରହିଛି ବିଜେଡି।

ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍-୧୯୫୬ ଅନୁସାରେ ଯଦି ବିବାଦର ସମାଧାନ ତିନି ବର୍ଷ ଭିତରେ ନହୁଏ, ତାହେଲେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବଢ଼ିବ। ତେଣୁ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ବଢ଼ିବାର ସମ୍ଭାବନା ରହିଛି। ହେଲେ ବିବାଦର ସମାଧାନ କେବେ ହେବ ତା’ର ଉତ୍ତର କାହା ପାଖରେ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।