ମନ୍ତ୍ରିମଣ୍ଡଳ ଅଦବଦଳ ପରେ ବିଜେଡିରେ ଅସନ୍ତୋଷ:ସୁନ୍ଦରଗଡ଼, ସମ୍ବଲପୁରରେ ବିଦ୍ରୋହର ନିଆଁ

ଭୁବନେଶ୍ୱର:ନବୀନଙ୍କ ପୁରା ଇନିଙ୍ଗ୍ସର ସବୁଠୁ ବଡ଼ ତଥା ଚର୍ଚ୍ଚିତ ଅଦଳବଦଳ ବଢାଇପାରେ ଅସନ୍ତୋଷ। କୁହଳିପାରେ ବିଦ୍ରୋହର ନିଆଁ। ସତର୍କ ଘଣ୍ଟି ବାଜିଛି ସୁନ୍ଦରଗଡ଼ ଓ ସମ୍ବଲପୁରରୁ। ଅଦଳବଦଳର ମାତ୍ର କେଇ ଘଣ୍ଟା ଭିତରେ ଶୁଭିଛି ବିଦ୍ରୋହର ସ୍ୱର। ମନ୍ତ୍ରୀଶୁନ୍ୟ ଥିବା କିଛି ଜିଲ୍ଲାରୁ ଉଠିଛି ଆଞ୍ଚଳିକ ବୈଷମ୍ୟର ଅଭିଯୋଗ। ମନ୍ତ୍ରୀ ହେବା ଚର୍ଚ୍ଚା ଭିତରେ ସୁନ୍ଦରଗଡରୁ ଭୁବନେଶ୍ୱର ଧାଇଁ ଆସିଥିଲେ ମଙ୍ଗଳା କିଷାନ ଓ ତାଙ୍କ ସମର୍ଥକ। ଅପେକ୍ଷା ଥିଲା ଫୋନ ଆସିବ ହେଲେ ଶେଷରେ ନିରାଶ ହେଲେ କର୍ମୀ। ଜିଲ୍ଲା ମନ୍ତ୍ରୀଶୁନ୍ୟ ଥିବାରୁ ଅବହେଳିତ ହେବ ବୋଲି ଅଭିଯୋଗ କଲେ ମଙ୍ଗଳା। କଥା ଏତିକିରେ ସରିନଥିଲା, ଜିଲ୍ଲା ସଂଗଠନରେ ଥିବା  ନେତା ସାମୁହିକ ଇସ୍ତଫା ଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ସେପଟେ ସମ୍ବଲପୁରରେ ବି ବିଦ୍ରୋହର ନିଆଁ ଦେଖିବାକୁ ମିଳିଛି।