‘ଅଧିକ ଦିନ ସ୍କୁଲ ବନ୍ଦ ରହିଲେ ପିଲାଙ୍କୁ ଫେରାଇ ଆଣିବା କଷ୍ଟକର ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ହେତୁ ଓଡିଶା ସମେତ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ପ୍ରାୟ ଦେଢ ବର୍ଷ ହେବ ସ୍କୁଲ କଲେଜ ବନ୍ଦ ହୋଇ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେଲେ । ଏବେ ଦୋକାନ, ବଜାର,  ମଲ, ଧାର୍ମିକ ଅନୁଷ୍ଠାନ, ସିନେମା ହଲ ଇତ୍ୟାଦିକୁ ଖୋଲିବା ଲାଗି ଅନୁମତି ଦିଆଯାଇଛି । ଏହା ସତ୍ତ୍ୱେ ପ୍ରାଥମିକ  ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ଖୋଲିବାକୁ ଅନୁମତି ମିଳିନି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅଧିକ ବିପର୍ଯ୍ୟୟ ଆଡକୁ ଗତି କରିଛି। ତେଣୁ ତୁରନ୍ତ ସ୍କୁଲ ଖୋଲିବାକୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ସଙ୍ଗଠନ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ସ୍କୁଲ ବନ୍ଦ ରହିବା ହେତୁ ଆଦିବାସୀ ,ଦଳିତ, ସାଧାରଣ କୃଷକ, ନିର୍ମାଣ ଶ୍ରମିକ ଓ ଦାଦନ ଶ୍ରମିକ ଶ୍ରେଣୀର ପିଲାମାନେ ସମ୍ପୂର୍ଣ ପାଠପଢା  ଛାଡିଦେଲେଣି । ଅଧିକ ଦିନ ସ୍କୁଲ ବନ୍ଦ ରହିଲେ ସେମାନଙ୍କୁ ସ୍କୁଲକୁ  ଫେରାଇ ଆଣିବା କଷ୍ଟକର ହୋଇଯିବ ।

ଗତ ୬ ସେପ୍ଟେମ୍ବର ୨୦୨୧ ତାରିଖରେ ଓଡିଶା ସମେତ ୧୫ଟି ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦୦ ପିଲାଙ୍କୁ ନେଇ “ଲକ୍‌ ଆଉଟ ଏମର୍ଜେନ୍ସି ରିପୋର୍ଟ ଅନ ସ୍କୁଲ ଏଜୁକେଶନ” ଶୀର୍ଷକ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ  ଅନୁସାରେ, ଗ୍ରାମାଞ୍ଚଳରେ ୩୬ ପ୍ରତିଶତ ଓ ସହରାଞ୍ଚଳରେ ୧୯ ପ୍ରତିଶତ ପିଲା କରୋନା ସମୟରେ ଆଦୌ  ପାଠ ପଢିନାହାନ୍ତି। ଗ୍ରାମାଞ୍ଚଳରେ ୪୮ ପ୍ରତିଶତ ଓ ସହରାଞ୍ଚଳରେ ୪୨ ପ୍ରତିଶତ ପିଲା, ସମଗ୍ର ଛାତ୍ରଛାତ୍ରୀଙ୍କର ବୃହତ୍ତର ଭାଗ, ଅଳ୍ପ କିଛି ବାକ୍ୟ ପଢିପାରୁଛନ୍ତି । ପିଲାମାନଙ୍କର ଲେଖିବା ଓ ପଢିବା ଅଭ୍ୟାସ ଆଉ ନାହିଁ କହିଲେ ଚଳେ ।

ଉପରୋକ୍ତ ସର୍ବେକ୍ଷଣ  ଅନୁସାରେ, ସହରାଞ୍ଚଳରେ କେବଳ ୨୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେତେକ ଛାତ୍ରଛାତ୍ରୀ ଡିଜିଟାଲ ବୈଷମ୍ୟର ଶିକାର ହେଉଛନ୍ତି । ଆର୍ଥିକ ଅବସ୍ଥା ସ୍ଵଛଳ  ନ ଥିବା ହେତୁ ସେମାନଙ୍କ ପାଖରେ ହୁଏତ ସ୍ମାର୍ଟ ଫୋନ ନାହିଁ ବା ନିୟମିତ ଡାଟା କାର୍ଡକୁ ରିଚାର୍ଜ କରିପାରୁନାହାନ୍ତି । ନଚେତ ନିକଟରେ ମୋବାଇଲ ଟାୱାର ନ ଥିବା କାରଣରୁ ଇଣ୍ଟରନେଟ ସୁବିଧା ପାଉନାହାନ୍ତି । ଏହା ଦ୍ଵାରା ସମ୍ବିଧାନର ଧାରା ୨୧ – ଏ ଅନୁସାରେ ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ବ୍ୟବସ୍ଥାଗତ ଅଧିକାରର ଘୋର ଉଲ୍ଲଂଘନ ହେଉଛି ।  ଉକ୍ତ ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ୯୭ ଭାଗ ଓ ସହରାଞ୍ଚଳରେ ୯୦ ଭାଗ ପିତାମାତା ଶ୍ରେଣୀ ଗୃହରେ ଶିକ୍ଷା ପ୍ରଦାନ ନିମନ୍ତେ ମତ ପ୍ରକାଶ କରିଛନ୍ତି ।

ଅନଲାଇନ ଶିକ୍ଷା ଲାଗି ଆବଶ୍ୟକୀୟ ଭିତ୍ତିଭୂମି ସହିତ ପରିବାର ଆୟ ବୃଦ୍ଧି ଭଳି ସାମାଜିକ ଭିତ୍ତିଭୂମିର ଆବଶ୍ୟକତା ମଧ୍ୟ ରହିଛି । ପୁଣି ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ, ନୂଆ ବିଷୟ ପ୍ରତି ଆଗ୍ରହ, ଅନ୍ୟପ୍ରତି ବ୍ୟବହାରରେ ଘୋର ଅବନତି ଆଣୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି ।  କୋଭିଡ ଲକଡାଉନ୍‌ ପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ମାତ୍ର ୫ରୁ ୧୦ ପ୍ରତିଶତ ଲୋକ ଇଣ୍ଟେରନେଟ ବ୍ୟବହାର କରିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶିତ ହୋଇଛି କୁହେ ।

କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅନେକ ଛାତ୍ରଛାତ୍ରୀ ଦେଢବର୍ଷର ମୂଲ୍ୟବାନ ସମୟ ହରାଇଲେ । ବିଶେଷକରି ଦଳିତ, ଆଦିବାସୀ, ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଥବା ଚାକିରୀ କ୍ଷେତ୍ରରେ ହେଉଥିବା ବିଭିନ୍ନ ପରୀକ୍ଷାରେ ଉଚ୍ଚ ଜାତି ଓ ଧନୀ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଠାରୁ କେବଳ ଯେ ପଛୁଆ ରହିବେ ତାହା ନୁହେଁ ସେମାନେ ହୁଏତ ଆଦୌ ପ୍ରତିଯୋଗୀତାରେ ଉତ୍ତିର୍ଣ୍ଣ ମଧ୍ୟ ହୋଇନପାରନ୍ତି ।

ଫଳରେ, ସେମାନଙ୍କ ଲାଗି ନିଯୁକ୍ତିର ସମ୍ଭାବନା ଶୁନ ହୋଇଯିବ । ସେମାନେ ନିଜର କୌଣସି ବି ଦୋଷ ନଥାଇ ଦଣ୍ଡିତ ଅନୁଭବ କରିବା ଦ୍ଵାରା ସେମାନଙ୍କ ମାନସିକ ସ୍ଥିତିରେ ଏହା ଖୁବ୍‌ ପ୍ରଭାବ ପକାଇବ । ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅଭାବ ଦେଖାଇ ଭବିଷ୍ୟତରେ ସରକାର ବାକି ଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ହୁଏତ ବନ୍ଦ ମଧ୍ୟ କରିଦେଇପାରନ୍ତି ।

ମଣିଷର ବିକାଶ ଦିଗରେ ପ୍ରାଥମିକ ଶିକ୍ଷା ବିଶେଷ ଗୁରୁତ୍ୱପୂର୍ଣ ହୋଇଥିଲେ ମଧ୍ୟ ସରକାର ସ୍କୁଲଗୁଡିକୁ ନଖୋଲିବା ଦ୍ଵାରା ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ସାମ୍ବିଧାନିକ ଅଧିକାରର ଘୋର ଉଲ୍ଲଂଘନ ହେଉଛି । ତେଣୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।