ବିଜେଡି ବିଧାୟକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ବିଧାୟକଙ୍କ ମାଲିକାନାରେ ଚାଲିଥିବା ନିଗମାନନ୍ଦ ଆସୋସିଏଟ୍ ନାଁରେ କୃଷି ଯନ୍ତ୍ରାଂଶ ବିକ୍ରୟରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ହେରଫେରର ଅଭିଯୋଗ ଆସିଛି। ସେ ଜଣେ କି ଦୁଇଜଣ ନୁହେଁ, ଏକାଧିକ ଗରିବ ଓ SC/ST ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି ସରକାରୀ ସବସିଡିକୁ ହରିଲୁଟୋ କରିଥିବା ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରେମୁଣାର ପୂର୍ବତନ ବିଜେପି ବିଧାୟକ ତାଙ୍କ ସଭ୍ୟ ପଦ ବାତିଲ କରିବାକୁ ଦାବି କରିଛନ୍ତି।

ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ମାଲିକାନାରେ ବାଲେଶ୍ୱରରେ ଥିବା ନିଗମାନନ୍ଦ ଆସୋସିଏଟୋ ସରକାରୀ ସବସିଡି ବାବଦରେ ଲକ୍ଷାଧିକ ଟଙ୍କାର ଲୁଟ୍‌ର ଅଭିଯୋଗ କରିଛନ୍ତି ତାଙ୍କରି ଦଳର ତନ୍ମୟ କୁମାର ମହାନ୍ତି। ତନ୍ମୟ ତଥ୍ୟ, ପ୍ରମାଣ ସହ ଦର୍ଶାଇଛନ୍ତି ଯେ ୨୦୧୭-୧୮ ଓ ୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ ଅଣଚାଷୀ ଗରିବ ଏବଂ SC/ST ହିତାଧିକାରୀଙ୍କ ନାଁରେ ଧାନ ହାରଭେଷ୍ଟିଂ ମେସିନ୍ ବାବଦରେ ୨୪ ଲକ୍ଷରୁ ଅଧିକ ଟଙ୍କାର ଧାନ ଅମଳ ମେସିନ୍ କିଣାଇ ହିତାଧିକାରୀଙ୍କ ନାଁରେ ଆସୁଥିବା ସବସିଡି ବାବଦରେ ୬ ଲକ୍ଷ ଲେଖାଁଏ ଟଙ୍କା ଚଳୁ କରିଛି ନିଗମାନନ୍ଦ ଆସୋସିଏଟ୍।

ବିଧାୟକଙ୍କ ସଂସ୍ଥା ଯେଉଁମାନଙ୍କୁ ମୋହରା କରି ସବସିଡି ଅର୍ଥ ହରିଲୁଟ୍ କରିଛି, ସେହିଭଳି ୧୦ ଜଣିଆ ତାଲିକା ବି ଦେଇଛନ୍ତି ତନ୍ମୟ। ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଯଶିପୁର ଗାଁର ନାରଣ ମାଝି ରହିଛନ୍ତି। ନାରଣ ଅଭିଯୋଗ ଆଣିଛନ୍ତି ଯେ ସବସିଡିରେ ହାର୍ଭେଷ୍ଟିଂ ମେସିନ ଯୋଗାଇଦେବା କହି ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ଝରାଡିହିରେ ଥିବା ତାଙ୍କ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟରେ ୨୪ ଲକ୍ଷ ୧୪ ହଜାର ଟଙ୍କା ଜମା କରିଥିଲା ନିଗମାନନ୍ଦ ଆସୋସିଏଟ୍। ଯେଉଁଦିନ ଟଙ୍କା ପଠାଇଲା ସେହି ତାରିଖରେ ହିଁ ନିଗମାନନ୍ଦ ଆସୋସିଏଟ୍ ନାରଣଙ୍କୁ ହାର୍ଭେଷ୍ଟିଂ ମେସିନ୍ ବିକ୍ରି କରିଥିବା ଦର୍ଶାଇ ସେହି ଟଙ୍କାକୁ ପୁଣି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ନେଲା। ନିଗମାନନ୍ଦ ଆସୋସିଏଟର ମାଲିକଙ୍କ ସହ ହିତାଧିକାରୀଙ୍କ ଫଟୋ ମଧ୍ୟ ରହିଛି। ଆଉ ଏହାପରେ ନାରଣଙ୍କ ଆକାଉଣ୍ଟକୁ ୬ ଲକ୍ଷ ସବସିଡି ଟଙ୍କା ଆସିବା କ୍ଷଣି ଦଲାଲ୍ ଲଗାଇ ସେ ଟଙ୍କା ହଡ଼ପ ହେଲା।

୨୦୧୯ ଜାନୁଆରୀ ୪ ତାରିଖରେ ସବସିଡି ଟଙ୍କା ମିଳିବାପରେ ନିଗମାନନ୍ଦ ଆସୋସିଏଟ୍ ଦ୍ୱାରା ନିଯୁକ୍ତ ଦଲାଲ୍ ଶାନ୍ତନୁ କୁମାର ବେହେରା ୫ ଲକ୍ଷ ୪୦ ହଜାଇ ଉଠାଇ ଅନ୍ୟ ଜଣେ ଦଲାଲ୍ ସନ୍ୟାସୀ ଚରଣ ବାଗ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ। ପୁଣି ହିତାଧିକାରୀଙ୍କୁ ଧମକ ଚମକ ଦେଇ ତାଠାରୁ ୪୦ ହଜାର ଟଙ୍କା ନେବାପରେ ମାତ୍ର ୨୦ ହଜାର ଟଙ୍କା ପାଇଛି ପ୍ରକୃତ ହିତାଧିକାରୀ ନାରଣ ମାଝି। ହେଲେ ତାଙ୍କୁ ଏସବୁ ଜମାନଥିବା କହିଛି ହିତାଧିକାରୀ ନାରଣ ମାଝି।

କେବଳ ନାରଣ ନୁହନ୍ତି ଏମିତି ଅନେକ ବ୍ୟକ୍ତିଙ୍କୁ ମୋହରା କରି କୃଷି ଯନ୍ତ୍ରପାତି ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ସବସିଡି ଅର୍ଥ ହରିଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ବିଧାୟକଙ୍କ ବିରୋଧରେ ଅଧିକ ତଥ୍ୟ ପ୍ରମାଣ ସହ ବର୍ଷିଛି ବିଜେପି। ମାମଲା ଲୋକାୟୁକ୍ତକୁ ଯାଇଥିବାରୁ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛନ୍ତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ତେବେ ଏହି କାରବାରରେ କେବଳ ଯେ ତାଙ୍କ ସଂସ୍ଥାର ସଂପୃକ୍ତି ଅଛି, ତାହା ନୁହେଁ। ଏହା ପଛରେ କୃଷି ବିଭାଗ ଓ ବ୍ୟାଙ୍କର ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ସଂସ୍ଥା ନାଁରେ ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ବାଲେଶ୍ୱର ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଶାସକ ଦଳର ବିଧାୟକ ହୋଇଥିବାରୁ ଭିଜିଲାନ୍ସର ଜଣେ ଅଧିକାରୀ ତଦନ୍ତ ନକରି ଚୁପ ବସିଥିବା ଗୋବିନ୍ଦ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଜେପି ଆନ୍ଦୋଳନର ଧମକ ମଧ୍ୟ ଦେଇଛି।

ସେପଟେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ତାଙ୍କର ନାଁରେ ଆସିଥିବା ଅଭିଯୋଗ ମିଛ। ତାଙ୍କ ଦଳର କିଛି କୁଚକ୍ରାନ୍ତାରୀ ବ୍ୟକ୍ତି ତାଙ୍କ ନାଁରେ ଷଡ଼ଯନ୍ତ୍ର ଚଳାଇଛନ୍ତି। ସେ ଆଜିକୁ ତିନି ବର୍ଷ ଧରି ବ୍ୟବସାୟରେ ସିଧାସଳଖ ଜଡିତ ନାହାଁନ୍ତି। ତେଣୁ ତାଙ୍କୁ ଅପମାନ କରିବାପାଇଁ ଏହା ଏକ ଷଡଯନ୍ତ୍ର। ଲୋକାୟୁକ୍ତରୁ କୌଣସି ନୋଟିସ୍ ସେ ପାଇନଥିବା କହିଛନ୍ତି। ନୋଟିସ୍ ଆସିଲେ ସେ ସାମ୍ନା କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।