ଏୟାର ଓଡ଼ିଶା ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏୟାର ଓଡ଼ିଶା ଆଭିଏସନ୍‌ କମ୍ପାନୀ ବିରୋଧରେ ଏଫ୍‌ଆଇଆର ଦାୟର କରି ତଦନ୍ତ କରିବାକୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିତେଶ ଖିମଜି ଓ ଅନ୍ୟମାନଙ୍କ ପକ୍ଷରୁ ଦାଖଲ ଏକ ଅଭିଯୋଗର ଶୁଣାଣି କରି ଏସଡିଜେଏମ୍ କୋର୍ଟ ଏହି ଆଦେଶ ଦେଇଛନ୍ତି। ଅଭିଯୋଗକାରୀ ଆଇପିସିର ୪୦୬, ୪୧୭ ଓ ୪୨୦ ଧାରା ଅନୁସାରେ  ଅଭିଯୋଗ କରିଛନ୍ତି। ଏୟାର ଓଡ଼ିଶା କମ୍ପାନୀକୁ ମିତେଶ ଖିମଜି ଓ ଅନ୍ୟମାନେ ଦେଢ଼ କୋଟି ଟଙ୍କା ସେୟାର ହୋଲଡ଼ର ଭାବେ ପ୍ରଦାନ କରିଥିଲେ। କିନ୍ତୁ ଏହି ଅର୍ଥ କାରବାରରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗକାରୀମାନେ କହିଛନ୍ତି। ତେବେ ଏ ନେଇ ଏୟାର ଓଡ଼ିଶା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଆଇନଜୀବୀ ଜ୍ଞାନ ରଞ୍ଜନ ମହାନ୍ତି  କହିଛନ୍ତି, “ଏୟାର ଓଡ଼ିଶା ଆଭିଏସନ୍‌ କମ୍ପାନୀରେ ମିତେଶ ଖିମଜି ୪୦ ପ୍ରତିଶତ ସେୟାର ଅଛି। ସେ  ତାଙ୍କ ସେୟାର ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁଥିଲେ। କିନ୍ତୁ କମ୍ପାନୀ  ପକ୍ଷରୁ  ତାଙ୍କୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ତା’ପରେ ମିତେଶ ଖିମଜି ଓ ତାଙ୍କ ପରିବାର କୋର୍ଟର ଆଶ୍ରୟ ନେଇଥିଲେ।”