ସଚିବାଳୟ ପରିସରରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ। ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ବାପୁଙ୍କ ଅହିଂସା ନୀତିକୁ ସାରା ଦେଶ ମନେ ପକାଉଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ପରିସରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ନିରଞ୍ଜନ ପୂଜାରୀ। ଏମାନଙ୍କ ସହ ଆହୁରି ଅନେକ ମନ୍ତ୍ରୀ ଓ ନେତା ବାପୁଙ୍କୁ ଶ୍ରଦ୍ଧାଳି ଅର୍ପଣ କରିଥିଲେ।

ଏହି ଅବସରରେ ସେଠାରେ ୨ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ରାମଧୂନ୍ ମଧ୍ୟ ଗାନ କରାଯାଇଥିଲା।

 ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶ ପାଇଁ ମହାତ୍ମା ଗାନ୍ଧି ଯୋଗଦାନ ଅତୁଳନୀୟ।

ବାଚସ୍ପତି ନିରଞ୍ଜନ ପୂଜାରୀ କହିଥିଲେ, ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ସେ ଥିଲେ ପ୍ରେରଣାର ଉତ୍ସବ। ସେ ଦେଖାଇଥିବା ପଥ ଆମେ ଅନୁସରଣ କରିବା ଉଚିତ୍।

୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ନାଥୁରାମ ବିନାୟକ ଗଡସେଙ୍କ ଗୁଳିରେ  ଟଳି ପଡ଼ିଥିଲେ ବାପୁ। ବାପୁଙ୍କ ଶେଷ ଶବ୍ଦ ଥିଲା ହେ ରାମ। ଏହି ଘଟଣା ଜଣାପଡ଼ିବା ପରେ ସାରା ବିଶ୍ୱ ସ୍ତବ୍ଧ ଓ ନିର୍ବାକ ହୋଇଯାଇଥିଲା। ଶେଷରେ ଅହିଂସାର ପୂଜାରୀ ହିଂସାର ଶିକାର ହୋଇଥିଲେ। ଆଜି  ବି ତାଙ୍କର ନୀତି ଆଦର୍ଶ ସମାଜରେ ବଞ୍ଚି ରହିଛି। ଏଥିପାଇଁ ତାଙ୍କୁ ମନେ ପକାଇ ସାରାଦେଶ ତିରୋଧାନ ଦିବସ ପାଳନ କରୁଛି।