ଆଜି କ୍ରାନ୍ତି ଦିବସ

ଭୁବନେଶ୍ୱର: ଆଜି ଅଗଷ୍ଟ ୯, କ୍ରାନ୍ତି ଦିବସ। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ମହାନ ଦିନ। ୧୯୪୨ ମସିହା ଆଜିର ଦିନରେ ବ୍ରିଟିଶ ଶାସକଙ୍କୁ ଜାତିର ପିତା ମହାତ୍ମାଗାନ୍ଧୀ ଚରମ ଆହ୍ୱାନ ଦେଇଥିଲେ। ଆରମ୍ଭ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ। ଏହି ଆନ୍ଦୋଳନରେ ସାମିଲ ହୋଇ କିଏ ସହିଦ ହୋଇଥିଲା ବେଳେ କିଏ ଜେଲ ଯାଇଥିଲେ। ଦେଶ ସ୍ୱାଧୀନ ହେବାର ଦୀର୍ଘ ବର୍ଷ ପରେ ବି କ୍ରାନ୍ତି ଦିବସ ଚିର ସ୍ମରଣୀୟ ହୋଇ ରହିଛି।

ଭାରତ ଛାଡ଼ ଆନ୍ଦୋଳନର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ଅଭିଲେଖାଗାରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳିତ ହେବ। ସଂସ୍କୃତି ବିଭାଗ ଓ ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ କ୍ରାନ୍ତି ଦିବସର ପ୍ଲାଟିନମ୍‌ ଜୁବଲି ଆୟୋଜିତ ହେବ। ଏହି ଅବସରରେ ‘କ୍ୱିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ପୁସ୍ତକ ଉନ୍ମୋଚିତ ହେବ।

ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ, ଭିଡ଼ିଓ ଏବଂ ଅଡ଼ିଓକୁ ନେଇ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂସ୍କୃତି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।