ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ। ଆଧୁନିକ ଓଡ଼ିଶା  ଗଠନ ନେଇ ଏହି ବରପୁତ୍ରଙ୍କ ଅବଦାନକୁ ଆଜି  ରାଜ୍ୟବାସୀ ମନେ ପକାଉଛନ୍ତି।

ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ବିଜୁ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଟାଉନ୍ ହଲ୍‌ଠାରେ ଏକ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହା ସହିତ ଗୋପବନ୍ଧୁ ଆୟୁର୍ବେଦିକ କଲେଜ୍ ପରିସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ସେ। ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଟାଉନ୍‌ ହଲ୍ ନିକଟରେ କଂଗ୍ରେସ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୮ ଜଣ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ସେହିପରି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ବିଜୁ ସ୍ମୃତି ପୀଠରେ ଏହି ପ୍ରବାଦ ପୁରୁଷଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିନ୍ଦୁ ସାଗର ଉତ୍ତରେଶ୍ୱର ଘାଟରେ  ତିଳତର୍ପଣ କରାଯାଇଛି।  ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ପାର୍କରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।