ଭୁବନେଶ୍ୱର: ଗିରଫ ହୋଇ ଜେଲ୍ରେ ଥିବା ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ। ଗତକାଲି ଭିଜିଲାନ୍ସ ଶରତଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨୬ ତାରିଖରେ ଶରତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର ଅଫିସ୍, ଭୁବନେଶ୍ୱରର ଗୌରୀ ନଗରସ୍ଥିତ ବାସଭବନ ଓ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ପରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ସଂପତ୍ତି ଥିବା ଜଣାପଡ଼ିଥିଲା। ଶରତଙ୍କ ଖରିଆର ଅଫିସ୍ରୁ ନଗଦ ୬ ଲକ୍ଷ ଟଙ୍କାର ନୂଆ ନୋଟ୍ ଜବତ କରାଯାଇଥିଲା। ତାଙ୍କର ଭୁବନେଶ୍ୱର ସ୍ଥିତ ଗୌରୀନଗରରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ରହିଥିବା ବେଳେ ଗୌତମ ନଗରରେ ଏକ ପ୍ଲଟ୍ ମଧ୍ୟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।