ଶନିବାର ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ସେପ୍ଟେମ୍ବର ମାସର ସବୁ ଶନିବାର ବନ୍ଦ ରହିବ। ଏହାସହିତ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ମାସରେ ସରକାରୀ ଅଫିସ୍ କିଭଳି ଚାଲିବ ସେ ନେଇ ଏକ ଗାଇଡଲାନ୍ ଜାରି ହୋଇଛି। ଏହି ଗାଇଡଲାଇନ୍ ଅନୁସାରେ ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ଦପ୍ତର ଓ ମୁଖ୍ୟ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ କିଏ ଓ କେମିତି ଅଫିସ୍ ଆସିବେ ତାହା ବିଭାଗୀୟ ମୁଖ୍ୟ ସ୍ଥିର କରିବେ। ତେବେ ଓସଡମା, ଏସଆରସି ଅଫିସ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଯୋଗାଉଥିବା ଆଦି ଅଫିସଗୁଡ଼ିକୁ ଶତପ୍ରତିଶତ କର୍ମଚାରୀଙ୍କୁ ଆସିବାକୁ ପଡ଼ିବ।

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ଜୁନ୍ ୮ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏହାସହିତ ଯଦି ଅଫିସରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ତା’ହେଲେ ଜୁଲାଇ ୨୩ତାରିଖରେ ଜାରି ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି।

ଯେଉଁ କର୍ମଚାରୀ ଓ ଅଫିସରମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି, ସେମାନେ ନିଜର ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିବେ। ଜରୁରୀ ପଡ଼ିଲେ ସେମାନେ ସ୍ପଳ୍ପ ନୋଟିସ ଅବା ଟେଲିଫୋନ୍ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ।
ନିଜର ଅଧସ୍ତନ ଅଫିସ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକ କିଭଳି ଚାଲିବ ତାହା ସେମାନଙ୍କର ପ୍ରଶାସନିକ ବିଭାଗ ସ୍ଥିର କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।