ପାନୀୟ ଜଳ ଯୋଗାଣ: ଶତପ୍ରତିଶତ ପ୍ରସ୍ତୁତର ସାର୍ଟିଫିକେଟ୍ ଦେବେ ପଞ୍ଚାୟତ ଓ ପୌରାଞ୍ଚଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିିଛନ୍ତି, ୨୦୨୨ ମସିହା ସୁଦ୍ଧା ସହରାଂଚଳର ସବୁ ପରିବାରକୁ ପାଇପ୍ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ତେଣୁ ରାଜ୍ୟର ସମସ୍ତ ପଂଚାୟତ ଓ ପୌରାଂଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଶତପ୍ରତିଶତ ପ୍ରସ୍ତୁତ ବୋଲି ଲିଖିତ ଭାବେ ସାର୍ଟିଫିକେଟ୍ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ସାଧାରଣ ଦିନରେ ପାନୀୟ ଜଳ ପାଇଁ ସାଧାରଣ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ଖରାଦିନେ ପାନୀୟ ଜଳ କିଭଳି ମିଳୁଛି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜ୍ୟରେ ଖରାଦିନେ ପାନୀୟ ଜଳ ଯୋଗାଣର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିିଛନ୍ତି ଯେ, ରାଜ୍ୟର ୬୫ଟି ପୌରାଂଚଳର ୩୩୫ଟି ସ୍ଥାନରେ ପାନୀୟ ଜଳ ସମସ୍ୟା ଥିବାବେଳେ ଏଗୁଡ଼ିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି ପିଭିସି ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି ।

୨୦୧୬ରେ ସହରାଂଚଳର ତିନିଲକ୍ଷ ଘରକୁ ପାଇପ୍ ପାଣି ସଂଯୋଗ ହୋଇଥିବାବେଳେ ଏବେ ୮.୩୦ଲକ୍ଷ ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି। ସହରାଂଚଳରେ ୨୦୨୧ରେ ପାନୀୟ ଜଳର ଦୈନିକ ଆବଶ୍ୟକତା ୧୦୮୮ ମିଲିୟନ ଲିଟର ଥିବାବେଳେ ଦୈନିକ ୧୦୯୩ ମିଲିୟନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି।

ସହରାଂଚଳରେ ଗତ ୩ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦କୋଟି ଟଙ୍କା ବିନିଯୋଗ କରାଯାଇଛି ଓ ୨୦୨୨ ମସିହା ସୁଦ୍ଧା ସହରାଂଚଳର ସବୁ ପରିବାରକୁ ପାଇପ ଜଳଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ପାନୀୟ ଜଳ ସମସ୍ୟା ଥିବା ୧୧ଟି ପୌରାଂଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି। ସମସ୍ତ ପୌରାଂଚଳରେ ‘ମୋ ସରକାର’ ସେଲ୍ ଜରିଆରେ ସମସ୍ତ ଅଭିଯୋଗର ପ୍ରତିକାରର ଶୁଣାଣି ୨୪ଘଣ୍ଟା ମଧ୍ୟରେ କରାଯାଉଛି।

ସେହିପରି ଓଡ଼ିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ମୁଣ୍ଡପିଛା ଦୈନିକ ୪୦ଲିଟର ପାଣି ଯୋଗାଇ ଦିଆଯାଇପାରୁଛି । ଗ୍ରାମାଂଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ଖରାଦିନ ପାଇଁ ସବୁ ପାଇପପାଣି ଓ ଟ୍ୟୁବୱେଲଗୁଡ଼ିକୁ ଯାଂଚ କରାଯାଉଛି ଓ ପ୍ରତିକାର ବ୍ୟବସ୍ଥା କରାଯାଉଛି । ମୋବାଇଲ ଭ୍ୟାନ୍ ଓ ଟିମ୍ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି। ଜଳକଷ୍ଟ ଅଂଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ପଂଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଗତ ପ୍ରାୟ ମାସକ ତଳେ ଟିଟିଲାଗଡ଼ ସହରର ପ୍ରାୟ ଏକ ହଜାର ଲୋକ ପିଇବା ପାଣି ମିଳୁନଥିବା ଅଭିଯୋଗରେ ରାସ୍ତାରୋକ କରିଥିବାବେଳେ ସରକାରଙ୍କୁ ଏହି ସମସ୍ୟାକୁ ସୁଧାରିବା ନିମନ୍ତେ ଗୋଟିଏ ମାସ ସମୟ ଲାଗିଗଲା । ତେଣୁ ଖରାଦିନେ ଦୁର୍ଗମ ଓ ଗ୍ରାମାଂଚଳରେ ରହୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।