ଜିଦ୍‌ରେ ଅଟଳ ବିଜେଡି, ସର୍ବଦଳୀୟ ବୈଠକ ବିଫଳ: ଚତୁର୍ଥ ଦିନ ବି ଚାଲିପାରିଲାନି ଗୃହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ଜିଦ୍ ଯୋଗୁ ଆଜି ଚତୁର୍ଥ ଦିନ ପାଇଁ ଗୃହ ଚାଲିପାରିନି। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦୁଇଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ୍ ମାରିଛି। ଗୃହର ଅଚଳାବସ୍ଥାକୁ ସ୍ୱାଭାବିକ କରିବା ପାଇଁ କୌଣସି ନିର୍ଯ୍ୟାସ ଆଜି ବାହାରି ପାରିନି। ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଜିଦ୍‌ରେ ଅଡ଼ି ବସିଥିବାବେଳେ ମାର୍ଚ୍ଚ ଶେଷସୁଦ୍ଧା ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।

କଂଗ୍ରେସ,ବିଜେପି ଓ ବିଜେଡି ବିଧାୟକମାନଙ୍କର ଏଭଳି ଆଚରଣ ଯୋଗୁ ଗୃହ ଗତ ଶୁକ୍ରବାରଠାରୁ ସ୍ୱାଭାବିକ ହୋଇପାରୁନି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ସମ୍ଭବପର ହୋଇପାରୁନି ।
ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏବଂ ଶାସକ ଦଳର ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରୁନଥିବା ପ୍ରତିବାଦରେ ଦୁଇ ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେଡି ଦ୍ୱାରା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି। ଗୃହର ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ଆଜି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ଶାସକ ବିଜେଡି ସଦସ୍ୟମାନେ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ପରେ ଅନ୍ୟ ଯାହା ଆଲୋଚନା ହେବ ବୋଲି କହି ଜିଦରେ ଅଟଳ ରହିବାରୁ କଂଗ୍ରେସ ଅଧାରୁ ଉଠି ଆସିଥିଲା। ଫଳରେ ସର୍ବଦଳୀୟ ବୈଠକ ବିଫଳ ହୋଇଥିଲା। ସେହିପରି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ପୁଣିଥରେ ସର୍ବଦଳୀୟ ବୈଠକ ଡାକିଥିଲେ। ଶାସକ ଓ ବିରୋଧୀଙ୍କ ଜିଦ୍ ଯୋଗୁ ବୈଠକରେ ନିର୍ଯ୍ୟାସ ବାହାରି ପାରିନଥିଲା।

ସର୍ବଦଳୀୟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ମାର୍ଚ୍ଚ ମାସ ଶେଷସୁଦ୍ଧା ଚାଷୀଙ୍କ ସବୁ ଧାନ କିଣା ନେଇ ମୁଖ୍ୟମନ୍ତ୍ରୀ ନିଜେ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଆମେ ଦାବି କରୁଛୁ। ବିଜେପି ମଧ୍ୟ କଂଗ୍ରେସ ଭଳି ଅନୁରୂପ ଭାବେ ଦାବି କରୁଛି। ମାତ୍ର ଶାସକ ଦଳ ନିଜ ଜିଦରେ ଅଟଳ ରହି ବିଧାୟକ ଶ୍ରୀ ପାଣିଗ୍ରାହୀ କ୍ଷମା ମାଗିବାପରେ ହିଁ ଅନ୍ୟ ବିଷୟରେ ଆଲୋଚନା ହେବ ବୋଲି କହିବାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି।

ସୂଚନାଯୋଗ୍ୟ, ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦ ଓ ଚାଷୀମାନେ ହଇରାଣ ହେଉଥିବାରୁ ବିଜେପି ବିଧାୟକ  ସୁବାସ ପାଣିଗ୍ରାହୀ ଗୃହରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଜେଡି ପ୍ରଥମ ଦିନ ଚୁପ୍ ରହିବାପରେ ଏବେ କ୍ରମାଗତ ୩ଦିନ ଧରି ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଗୃହକୁ ଚଳାଇ ଦେଉନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।