ଉଦଳା: ନିକଟ ଅତିତରେ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଅମାନବିକ କାଣ୍ଡ ଚର୍ଚ୍ଚାରେ ବିଷୟ ପାଲଟିଥିଲା। ଟଙ୍କା ପାଇଁ ଜଣେ ବୃଦ୍ଧଙ୍କ ଶବଙ୍କୁ ଅଧା ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ ଡ୍ରାଇଭର ଜଣକ। ଏହି ଘଟଣା ପରେ ସମସ୍ତେ ସେହି ଆମ୍ବୁଲାନ୍ସ ଡ୍ରାଇଭରକୁ ଛି ଛାକର କରିଥିଲେ। ଏବେ ଭେଟନ୍ତୁ ଆଉ ଏକ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ। ଜିଏ କି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାଙ୍କୁ ସମସ୍ତେ ସାଧୁବାଦ ଜଣାଉଛନ୍ତି, ଭୂୟସୀ ପ୍ରଶଂସା ମଧ୍ୟ କରୁଛନ୍ତି। ସେହି ଡ୍ରାଇଭର ଜଣକ ହେଉଛନ୍ତି କପ୍ତିପଦା ଅସନବଣୀ ଗ୍ରାମର ନୀଳମାଧବ ମାହାନ୍ତି।
ଉଦଳା ଉପଖଣ୍ଡ ଡାକ୍ତରଖାନା ଅଧିନରେ ଥିବା ଆମ୍ବୁଲାନ୍ସ ଚଳାନ୍ତି ନୀଳମାଧବ। ଦୁଇ ବର୍ଷରୁ ଅଧିକ ସମୟ ହେବ ସେ ଆମ୍ବୁଲାନ୍ସ ଚଳାଇ ଆସୁଛନ୍ତି। ସବୁଦିନ ପରି ସେ ଗତ ୧୩ ତାରିଖ ସଂନ୍ଧ୍ୟାରେ ବୁଦୁନି ସିଂ ନାମକ ଜଣେ ମହିଳାଙ୍କୁ ଆମ୍ବଲାନ୍ସ ଯୋଗେ ଡାକ୍ତରଖାନା ଆଣିଥିଲେ। ତାଙ୍କୁ ସେଠାରେ ଛାଡିବାପରେ ଅନ୍ୟ ରୋଗୀଙ୍କୁ ଆଣିବା ପାଇଁ ଚାଲିଯାଇଥିଲେ। ପର ଦିନ ସକାଳେ ନୀଳମାଧବ ତାଙ୍କ ଗାଡି ଧୋଇବା ସମୟରେ ଗାଡିରୁ ଏକ ମନିପର୍ସ ପାଇଥିଲେ। ସେହି ପର୍ସଟିକୁ ଖୋଲିବା ପରେ ସେଥିରେ ବାର ହଜାର ଟଙ୍କା ଓ ପର୍ସ ମାଲିକଙ୍କ ନାମ ଓ ଫୋନ ନମ୍ବର ଥିବା ଦେଖିବାକୁ ପାଇଲେ। ପରେ ପର୍ସଟିକୁ ଫେରାଇବା ପାଇଁ ନୀଳମାଧବ ପର୍ସ ହଜିଯାଇଥିବା ବ୍ୟକ୍ତିଙ୍କୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ଯୋଗାଯୋଗ ନହୋଇ ପାରିବାରୁ ନୀଳମାଧବ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ପର୍ସ ମାଲିକ ନୀଳମାଧବ ସିଂ ପାଖରେ ପହଞ୍ଚିଥିଲେ। ପରେ ସୁକଦେବ ସିଂ ଓ ନୀଳମାଧବ ଉଦଳା ବିଡିଓଙ୍କୁ ଭେଟି ସମସ୍ତଙ୍କ ସାମ୍ନାରେ ନୀଳମାଧବ ସୁକଦେବଙ୍କୁ ପର୍ସ ଫରାଇ ଦେଇଥିଲେ। ଏହି ଘଟଣା ପରେ ବିଡିଓଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ନୀଳମାଧବଙ୍କ ସଚ୍ଚୋଟତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଦୁନିଆରେ ପଇସା ଲୋଭରେ ମଣିଷ ପଶୁ ପାଲଟିଯାଉଥିବା ବେଳେ ନୀଳମାଧବଙ୍କ ସଚ୍ଚୋଟତା ସମାଜ ପାଇଁ ଏକ ଉଦାହରଣ ନିଶ୍ଚୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।