ଭିଭିଆଇପିଙ୍କ କାର୍‌କେଡ଼୍‌ ପାଇଁ ଅଟକିଲା ଆମ୍ୱୁଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭିଭିଆଇପି କାରକେଡ୍ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ। ଆଜି ନବୀନ ନିବାସ ନିକଟ ଏୟାରପୋର୍ଟ ଛକରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜୁ ପଟ୍ଟନାୟକଙ୍କ ପୁସ୍ତକ ଉନ୍ମୋଚନ ପାଇଁ ଆସିଥିବା ଭିଭିଆଇପିମାନେ ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ସାରିବା ପରେ ସେମାନଙ୍କ  କାରକେଡ୍‌ ବାହାରୁଥିବା ବେଳେ ଫରେଷ୍ଟ ପାର୍କ ପଟରୁ ନବୀନ ନିବାସ ଦେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ଅଟକା ଯାଇଥିଲା।

‘ଦି ଟଲ୍ ମ୍ୟାନ୍ -ବିଜୁ ପଟ୍ଟନାୟକ’। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ସୁନ୍ଦର ଗଣେଶନଙ୍କ ଦ୍ୱାରା ରଚିତ ଏହି ଫଟୋପୁସ୍ତକ ଆଜି ଉନ୍ମୋଚିତ ହେବ। ଏହି ଉତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବ ଗୌଡ଼ା, ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡ଼ଭାନୀ ଓ ସିପିଆଇ ନେତା ସୀତାରାମ ୟେଚୁରୀ। ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ସେମାନଙ୍କୁ ନବୀନ ନିବାସକୁ ପାଛୋଟି ନେଇଥିଲେ ନବୀନ।