ଅନାଦିଙ୍କ ବିରୋଧରେ ମାରିକଙ୍କ ଫୌଜଦାରୀ ମାମଲା: ମାର୍ଚ୍ଚ ୧୧ରୁ ଶୁଣାଣି

sanjib-marik-and-anadi
ସଞ୍ଜୀବ ମାରିକ ଓ ଅନାଦି ସାହୁ

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କ୍ ମନ୍ତବ୍ୟ ନେଇ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ପୂର୍ବତନ ଆଇଜି ଅନାଦି ସାହୁଙ୍କ ବିରୋଧରେ ଭୁବନେଶ୍ୱରର ଏସ୍‌ଡିଜେଏମ୍‌ କୋର୍ଟରେ ଯେଉଁ ଫୌଜଦାରୀ ମାମଲା ରୁଜୁ କରିଥିଲେ, ତା’ର ଶୁଣାଣି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। ସେଥିପାଇଁ ମାର୍ଚ୍ଚ ୧୧ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ମାରିକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାରିକଙ୍କର ଡି’ବ୍ରଦର୍ସଙ୍କ ସହିତ ସଂପର୍କ ଅଛି ଓ ସେ ସେମାନଙ୍କ ସହିତ ପ୍ରାୟ ୭ କୋଟି ଟଙ୍କାର କାରବାର କରିଥିଲେ ବୋଲି ଅନାଦି ଅଭିଯୋଗ କରିଥିଲେ। ଏହା ପରେ ମାରିକ ମାର୍ଚ୍ଚ ୧ରେ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲେ। ତା’ପରେ ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସିଭିଲ୍ କୋର୍ଟରେ ସେ ଅନାଦିଙ୍କ ନାଁରେ ମାନହାନୀ ମାମଲା ଦାଏର କରିଥିଲେ। ସେ ଅନାଦିଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏହି ମାମଲାରେ ଏପ୍ରିଲ୍ ୫ ତାରିଖରେ କୋର୍ଟରେ ହାଜର ହେବାକୁ ଅନାଦିଙ୍କୁ ସମନ ମିଳିଛି। ସେ ବ୍ୟକ୍ତିଗତ ଭାବେ ଅବା ଓକିଲଙ୍କ ଜରିଆରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।