ଅନାଦି ପୁରୁଣା ରାଗ ସୁଝାଇବାକୁ ଡି’ ବ୍ରଦର୍ସଙ୍କ ସହ ମୋ ନାଁ ଯୋଡୁଛନ୍ତି: ସଞ୍ଜୀବ ମାରିକ

ଭୁବନେଶ୍ୱର: ‘ପୂର୍ବତନ ସାଂସଦ ଅନାଦି ସାହୁ ପୁରୁଣା ରାଗ ସୁଝାଇବାକୁ ଡି’ ବ୍ରଦର୍ସଙ୍କ ସହ ମୋ ନାଁକୁ ଯୋଡ଼ିଛନ୍ତି। ଡି’ ବ୍ରଦର୍ସ କିଏ ମୁଁ ଆଦୌ ଜାଣି ନାହିଁ କି ସେମାନଙ୍କୁ କେବେ ଦେଖିନାହିଁ। ଏହି ଘଟଣାରେ ମୋ ନାଁ ଯୋଡ଼ି ଅନାଦି ମୋତେ ଅପମାନିତ କରିଛନ୍ତି। ଅନାଦିଙ୍କୁ ଯଦି ପାନେ ନ ଦେଲି ମୁଁ ବାପାର ପୁଅ ନୁହେଁ।’ ଆଜି ଏ କଥା କହିଛନ୍ତି ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ। ଡି’ବ୍ରଦର୍ସଙ୍କ ସହିତ ତାଙ୍କର […]

sanjib marik

sanjib marik

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 03:35 AM IST

Sports

Latest News

sanjib marikଭୁବନେଶ୍ୱର: ‘ପୂର୍ବତନ ସାଂସଦ ଅନାଦି ସାହୁ ପୁରୁଣା ରାଗ ସୁଝାଇବାକୁ ଡି’ ବ୍ରଦର୍ସଙ୍କ ସହ ମୋ ନାଁକୁ ଯୋଡ଼ିଛନ୍ତି। ଡି’ ବ୍ରଦର୍ସ କିଏ ମୁଁ ଆଦୌ ଜାଣି ନାହିଁ କି ସେମାନଙ୍କୁ କେବେ ଦେଖିନାହିଁ। ଏହି ଘଟଣାରେ ମୋ ନାଁ ଯୋଡ଼ି ଅନାଦି ମୋତେ ଅପମାନିତ କରିଛନ୍ତି। ଅନାଦିଙ୍କୁ ଯଦି ପାନେ ନ ଦେଲି ମୁଁ ବାପାର ପୁଅ ନୁହେଁ।’ ଆଜି ଏ କଥା କହିଛନ୍ତି ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ। ଡି’ବ୍ରଦର୍ସଙ୍କ ସହିତ ତାଙ୍କର ସିଧାସଳଖ ଲିଙ୍କ୍ ଥିବା ନେଇ ଗତକାଲି ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁ ଅଭିଯୋଗ ଆଣିବା ପରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏହା ସହିତ ଅନାଦିଙ୍କ ବିରୋଧରେ ମାନହାନି ମକଦ୍ଦମା ସହିତ ଫୌଜଦାରୀ ମାମଲା ରୁଜୁ କରିବେ ବୋଲି ସେ କହିଛନ୍ତି।

ମାରିକ କହିଛନ୍ତି,‘୧୯୯୭-୯୮ ବର୍ଷରେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଞ୍ଚଳରେ ଏକ ଦଙ୍ଗା ହୋଇଥିଲା। କିଛି ଲୋକଙ୍କ ଘର ଓ ଏକ ଧର୍ମସ୍ଥାନ ପୋଡ଼ି ଦିଆଯାଇଥିଲା। ଏହି ଘଟଣାରେ ପୋଲିସ୍ କିଛି ଲୋକଙ୍କୁ ଗିରଫ କରିଥିଲା। ସେତେବେଳେ ଅନାଦି ମୋ ପାଖକୁ ଆସି ଗିରଫ ଲୋକମାନେ ନିର୍ଦ୍ଦୋଷ ଓ ସେମାନଙ୍କୁ ଛାଡ଼ି ଦେବାକୁ କହିଥିଲେ। ଅଭିଯୋଗକାରୀମାନେ ନିଜେ ସେମାନଙ୍କ ଘର ପୋଡ଼ି ଦେଇଥିବା ସେ ଅଭିଯୋଗ କରିଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ତଦନ୍ତରୁ ଘଟଣାରେ ଗିରଫ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଥିବାରୁ ସେମାନଙ୍କୁ ଛାଡ଼ି ହେବ ନାହିଁ ବୋଲି ମୁଁ କହିଥିଲି। ଏଥିରେ ଅନାଦି ଉତ୍ତ୍ୟକ୍ତ ହୋଇଯାଇ ମୋ ସହ ବଡ଼ପାଟିରେ ଯୁକ୍ତିତର୍କ କରିଥିଲେ। ହୁଏତ ସେହି କଥାକୁ ନେଇ ଏବେ ସେ ରାଗ ସୁଝାଇବାକୁ ଏମିତି କରି ଥାଇ ପାରନ୍ତି।’

ସେ ଆହୁରି କହିଛନ୍ତି,‘ସେ ଦୁଇ ଅପରାଧୀ ଭାଇଙ୍କୁ ମୁଁ କେବେ ଭେଟି ନାହିଁ କି ଜାଣିନାହିଁ। ଧଳସାମନ୍ତ ବୋଲି କେହି ଅପରାଧୀ ଅଛନ୍ତି, ଯିଏ ଟେଣ୍ଡର ଫିକ୍ସିଂ କରୁଛନ୍ତି ବୋଲି ଜାଣି ଥିଲି। ବହୁଥର ମିଟିଂ କରି ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲି। ହେଲେ ସେମାନଙ୍କୁ ଧରାଯାଇ ନ ଥିଲା। ଦୁଇ ଭାଇଙ୍କ ପାଖରୁ ଡାଏରୀ ଜବତ କରାଯାଇଛି, ତାହାକୁ ସାଧାରଣରେ ପ୍ରକାଶ କରାଗଲେ ସବୁ ଜଣାପଡ଼ିଯିବ।’

ପୂର୍ବତନ ଡିଜି ମାରିକ କହିଛନ୍ତି,‘ମୁଁ ଡି’ ବ୍ରଦର୍ସଙ୍କ ପାଖରୁ କୋଟି କୋଟି ଟଙ୍କା ନେଇଥିବା ଅନାଦି ଅଭିଯୋଗ କରିଛନ୍ତି। ଗୋଟିଏ ଆକାଉଣ୍ଟରେ ୫୦ ହଜାର ଟଙ୍କା ଦେବାକୁ ହେଲେ ପାନ୍ ନମ୍ୱର ଦେବାକୁ ପଡ଼ିବ। କେଉଁ ଆକାଉଣ୍ଟକୁ ଏତେ ଟଙ୍କା ଆସିଲା ତାହାର ସବିଶେଷ ତଥ୍ୟ ଅନାଦି ପ୍ରଦାନ କରନ୍ତୁ। ମୋ ପୁଅ ବାହାଘର ଭୁବନେଶ୍ୱର କ୍ଲବରେ ହୋଇଥିଲା। କ୍ଲବରେ ସବୁ କାମ ତାଙ୍କ ମ୍ୟାନେଜର ବୁଝାଶୁଝା କରିଥା’ନ୍ତି। ଉକ୍ତ କାମ ବାବଦ ସବୁ ଟଙ୍କା ମୁଁ ଚେକ୍‌ରେ ପ୍ରଦାନ କରିଛି। କିଛି ନ ଜାଣି ଅନାଦି ଏପରି ଅଭିଯୋଗ ଆଣୁଛନ୍ତି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୋ ପୁଅ ବାହାଘରକୁ ଆସିଥିଲେ। କେହି ଡି’ ବ୍ରଦର୍ସଙ୍କୁ ଦେଖି ନ ଥିଲେ। ଅଥଚ ଅନାଦିଙ୍କୁ ମୁଁ ବିବାହ ଉତ୍ସବକୁ ଡାକି ନ ଥିଲି। ସେ କ’ଣ ଦିବ୍ୟଦ୍ରଷ୍ଟା, ଦୂରରେ ଥାଇ ଏମାନେ ଆସିଥିବା ଦେଖିଦେଲେ?’

ଅନାଦି ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ଏବେ କୌଣସି ଦଳ ତାଙ୍କୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଶସ୍ତା ରାଜନୀତି କରି ସେ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରୁଛନ୍ତି। ସେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମାରିକ କହିଛନ୍ତି।

ସେ କହିଛନ୍ତି ଯେ ଏବେ ଡି’ ବ୍ରଦର୍ସଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଜେରା ବେଳେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। କେତେ ଲୋକ ଦୁଇ ଭାଇଙ୍କୁ ଭେଟିଥିଲେ, କେତେଜଣ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତାହାର ତଦନ୍ତ କମିଶନରେଟ୍ ପୋଲିସ୍ କରୁଛି। ଏପରି ସ୍ଥିତିରେ ତାଙ୍କ ନାଁ ଉଠାଇ ଅନାଦି ତଦନ୍ତକାରୀ ଦଳ ଓ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଲୋକେ ଖସିବା ପାଇଁ ତାଙ୍କୁ ମାଧ୍ୟମ କରିଛନ୍ତି। ସେ କିଛି ଲୋକଙ୍କ ପ୍ରରୋଚନାରେ ପଡ଼ି ଏପରି କରୁଛନ୍ତି।

ଡି’ ବ୍ରଦର୍ସଙ୍କ ବିରୋଧରେ ଯେଉଁ ଅଧିକାରୀମାନେ ଅଭିଯୋଗ ଆଣିଥିଲେ ସେମାନଙ୍କୁ ବଦଳି କରାଇ ଦେଉଥିବା ଅଭିଯୋଗକୁ ମାରିକ ଅସ୍ୱୀକାର କରିଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମାରିକଙ୍କ ମନ୍ତବ୍ୟ ଉପରେ ମତ ରଖିଛନ୍ତି ପୂର୍ବତନ ସାଂସଦ ଅନାଦି ସାହୁ। ସେ କହିଛନ୍ତି, ମାରିକ ଜଣେ ନିନ୍ଦିତ ଗଜପତି। ଅପରାଧୀଙ୍କ ସହ ସମ୍ପର୍କ ନେଇ ପୂର୍ବରୁ ନିଲମ୍ବିତ ହୋଇଛନ୍ତି । କୋର୍ଟକୁ ଯିବା ପୂର୍ବରୁ ସେ ଆଇପିସି ଧାରା ୪୯୯ ପଢ଼ନ୍ତୁ। ତା’ ପରେ  କୋର୍ଟ ଯାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos