ଅନନ୍ତ ଓ ଇତିଶଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଭୁବନେଶ୍ୱର: ଯୌନ କେଳେଙ୍କାରୀ ଅଭିଯୋଗ ମାମଲାକୁ ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି। ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଦାବିରେ ଆଜି ବିଜେପି ରାଜଧାନୀ ପାୱାର ହାଉସ ଛକରେ ରାସ୍ତାରୋକ କରିଛି।

ବିଜେପି କର୍ମୀମାନେ ଭୁବନେଶ୍ୱର ପୋଲିସ୍‌ କମିଶନଙ୍କ ଅଫିସ ଘେରାଓ କରିବାକୁ ଉଦ୍ୟମ କରିଥିଲେ। ପୋଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ବେଳେ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ବିଜେପିର ଏକ ପ୍ରତିନିଧି ଦଳ ପୋଲିସ୍‌ କମିଶନରଙ୍କୁ ଭେଟିବା ସହ ଦାବିପତ୍ର ଦେଇଥିଲେ। ଏହାସହ ଭାଇରାଲ ହୋଇଥିବା ଭିଡିଓ ଦାଖଲ କରିଥିଲେ। ଛାତ୍ର ରିଷିଙ୍କ ମୃତ୍ୟୁର ତଦନ୍ତ କରିବା ସହ ଭିଡିଓରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯାଞ୍ଚ କରିବାକୁ ଦାବି କରିଥିଲେ। ପରେ ରାସ୍ତାରୋକରୁ ବିଜେପି କର୍ମୀ ଉଠିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମେୟରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ନିଖୋଜ ଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ କଳ୍ପନା ଛକରୁ ବିଏମ୍‌ସି ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଛି।

ଅନ୍ୟପକ୍ଷରେ ଇତିଶ ପ୍ରଧାନଙ୍କ ଇସ୍ତଫା ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାସ୍ତରୋକ କରିଥିଲେ। ସେମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।