ଅନୁଗୋଳ ଓ କେନ୍ଦୁଝରରୁ ୧୨ ଲକ୍ଷ ଟଙ୍କା ଲୁଟ

ଅନୁଗୋଳ/କେନ୍ଦୁଝର: ଅନୁଗୋଳ ଓ କେନ୍ଦୁଝରରେ ଆଜି ଦିନ ଦ୍ୱି’ପ୍ରହରରେ ୧୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି।

ଅନୁଗୋଳ ଜିଲ୍ଲା ଗାନ୍ଧିମାର୍ଗ ରାସ୍ତାରୁ ଏକ ଘରୋଇ କମ୍ପାନୀର କର୍ମଚାରୀ ମୋହନ ଯାଦବଙ୍କଠାରୁ ଆଜି ୪ ଲକ୍ଷ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାଦବ ଟଙ୍କା ବ୍ୟାଗ୍‌ ଧରି ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କଠାରୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଯାଦବ ଟଙ୍କା ବ୍ୟାଗ ନ ଛାଡ଼ିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଧରି ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଯାଦବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଯାଦବ କହିଛନ୍ତି,“ଆଜି ମୁଁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ ଯାଉଥିଲି। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କଲେ। ପରେ ପଛରୁ ଜଣେ ଯୁବକ ମୋ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ପଳାଇଥିଲେ।”

ପ୍ରତ୍ୟକ୍ଷଦର୍ଶୀ ପବନ ମାଣ୍ଡୋଠିଆ କହିଛନ୍ତି,“ମୁଁ ସ୍କୁଟର ଧରି ଘରୁ ବାହାରୁଥିବା ବେଳେ ଏସ୍‌ବିଆଇ ବ୍ୟାଙ୍କ ସମ୍ମୁଖରେ ଜଣେ ପତଳା ପିଲା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରୁଥିଲା। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବ୍ୟାଗ ଛାଡ଼ୁନଥିବାରୁ ଅନ୍ୟ ଜଣେ ବ୍ୟକ୍ତି ଆସି ତାଙ୍କ ମୁଣ୍ଡକୁ ପିଟି ଟଙ୍କା ବ୍ୟାଗ ଧରି ପଳାଇ ଯାଇଥିଲା। ମୁଁ ପିଛା କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲି। ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏପରି ଲୁଟ୍‌ ହେଉଛି।”

କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଏସ୍‌ବିଆଇ ରୋଡ୍‌ରୁ ଜଣେ ଘରୋଇ କମ୍ପାନୀ କର୍ମଚାରୀଙ୍କଠାରୁ ୮ଲକ୍ଷ ଲୁଟ୍‌ ହୋଇଛି। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।